ଓମିକ୍ରନ ସତର୍କତା : ଟେଷ୍ଟିଂ ଓ ସର୍ଭିଲାନ୍ସ ବଢାଇବାକୁ ରାଜ୍ୟକୁ କେନ୍ଦ୍ରର ଚିଠି
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂତନ କୋରୋନା ଭାଇରସ୍ ପ୍ରଜାତି କୁ ନେଇ ପୁଣି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଚିଠି ଲେଖି ଅବଗତ କରାଇଲା କେନ୍ଦ୍ର । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ଶାସନ ସଚିବ/ମୁଖ୍ୟ ସଚିବ/ସ୍ବାସ୍ଥ୍ୟ ସଚିବଙ୍କୁ ଏହି ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।
ବିପଦପୂର୍ଣ୍ଣ ତାଲିକାରେ ଥିବା ଦେଶରୁ ଭାରତ ଫେରୁଥିବା ଯାତ୍ରୀମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ବ୍ୟବସ୍ଥା କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ବିମାନବନ୍ଦରରେ ଯାତ୍ରୀମାନଙ୍କ ସ୍କ୍ରିନିଂ କରିବା ଓ ସେମାନଙ୍କ ପାଇଁ ୧୪ ଦିନିଆ ସଙ୍ଗରୋଧର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ଚିଠିରେ ଉଲ୍ଲେଖ କରିଛି । ସେହିପରି ମାତ୍ରାଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ସ୍ଥାନ ଗୁଡିକୁ ହଟସ୍ପଟ ଭାବେ ଘୋଷଣା କରିବା ସହ ଟେଷ୍ଟିଂ ଓ ସର୍ଭିଲାନ୍ସ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦିଗରେ ତ୍ବରିତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ ବୋଲି କେନ୍ଦ୍ର କହିଛି । ଚିଠିରେ ଦର୍ଶାଯାଇଛି ଯେ, ସଂକ୍ରମଣ ମାମଲା ସଂଖ୍ୟା ଉପରେ ରାଜ୍ୟମାନେ ତୀକ୍ଷ୍ଣ ନଜର ରଖିବା ଉଚିତ ଏବଂ ହଟସ୍ପଟ ସ୍ଥାନରେ ଟେଷ୍ଟିଂ ଓ ସର୍ଭିଲାନ୍ସ ବୃଦ୍ଧି କରିବା ଆବଶ୍ୟକ । ସେହିପରି ସଂକ୍ରମଣର ଶୀଘ୍ର ଚିହ୍ନଟ କରିବା ପାଇଁ ଆରଟି-ପିସିଆର ପରୀକ୍ଷାର ପରିମାଣ ବଢାଇବାକୁ ମଧ୍ୟ ପଡିବ । ରାଜ୍ୟଗୁଡିକ 5 ପ୍ରତିଶତରୁ କମ ସଂକ୍ରମଣ ହାର ମଧ୍ୟରେ ସୀମିତ ରହିବା ଲକ୍ଷ୍ୟ ନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।