କୋହଳ ହେଲା କଟକଣା; ୨୦ ଜଣରେ ପ୍ରଚାର, ୩ଶହରେ ସଭା
ଭୁବନେଶ୍ୱର : କରୋନା ସଂକ୍ରମଣ ହ୍ରାସ ପାଇଥିବା ଯୋଗୁ ପଂଚାୟତ ନିର୍ବାଚନ ନିମନ୍ତେ ଲାଗୁ ହୋଇଥିବା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ । ସେହିପରି ୩ଶହ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ ନିର୍ବାଚନୀ ସଭା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଆଦିତ୍ୟ ପ୍ରସାଦ ପାଢୀ ।
ଶ୍ରୀ ପାଢ଼ୀ କହିଛନ୍ତି, ପଂଚାୟତ ନିର୍ବାଚନ ନିମନ୍ତେ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି । ପୂର୍ବରୁ ୫ ଜଣଙ୍କୁ ନେଇ ପ୍ରଚାର ନିମନ୍ତେ ଅନୁମତି ମିଳିଥିବା ବେଳେ ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ । ୩ଶହ ଲୋକଙ୍କୁ ନେଇ ସଭା କରାଯାଇପାରିବ । କିନ୍ତୁ ଏଥିପାଇଁ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ରାଲି, ପଦଯାତ୍ରା ଓ ବାଇକ ରାଲି ଉପରେ ଲାଗୁ ହୋଇଥିବା କଟକଣା ବଳବତର ରହିବ ।
ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି, ପଂଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି । ୮୦- ୯୦% ପୁଲିଂ ଷ୍ଟାଫଙ୍କୁ ପ୍ରିକସନାରି ଡୋଜ୍ ଦିଆସରିଛି । ଅନ୍ୟମାନଙ୍କୁ ଆସନ୍ତା ୨ ଦିନରେ ଦିଆଯିବ । ଏହାବାଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବି ଅଧିକାଂଶ ଜିଲ୍ଲାରେ ସରିଯାଇଛି । ଅନ୍ୟ ଜିଲ୍ଲାରେ ଆସନ୍ତା ୨ ଦିନରେ ଏହାକୁ ଶେଷ କରାଯିବ । ସୂଚନା ଯେ, କୋଭିଡ୍ ଗାଇଡ୍ଲାଇନକୁ କଡ଼ାକଡ଼ି ପାଳନ କରାଯାଇ ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ହେବ । ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ ।