ରାଜ୍ୟ କ୍ୟାବିନେଟ ଅଦଳବଦଳ ପ୍ରକ୍ରିୟା ଆରମ୍ଭ, ଏକାଥରେ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ
ଭୁବନେଶ୍ୱର: ନବୀନ ମନ୍ତ୍ରିମଣ୍ଡଳର ପ୍ରତୀକ୍ଷିତ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି ସରକାରର ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ ବୋଲି ଜଣାପଡ଼ିଛି। ଏହା ସହ ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆନ୍ଧ୍ରପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନରେଡ୍ଡୀ ଗତ ଏପ୍ରିଲ ମାସରେ ନିଜର ସମସ୍ତ ମନ୍ତ୍ରୀଙ୍କୁ ସମୂହ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇ ପରେ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଥିଲେ । ମନ୍ତ୍ରୀମାନେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ପଠାଇ ସାରିଛନ୍ତି। ଅନ୍ୟପକ୍ଷରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବା ପାଇଁ ରାଜଭବନକୁ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୧୯ ମେ’ ୨୯ତାରିଖରେ ନବୀନ ପଟ୍ଟନାୟକ ନିଜର ପଂଚମ ପାଳି ସରକାରର ଶପଥ ନେଇଥିଲେ। ଗତ ଏକ ବର୍ଷରୁ ଅଧିକ ସମୟ ଧରି ମନ୍ତ୍ରିମଣ୍ଡଳର ଅଦଳବଦଳକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ନବୀନ ନିଜର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିନଥିଲେ । ବିଶେଷକରି ପଂଚାୟତ ଓ ପୌର ନିର୍ବାଚନ ସହ ବ୍ରଜରାଜନଗର ଉପନିର୍ବାଚନ ଯୋଗୁ ଏହି ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟା ଅଟକି ରହିଥିଲା । ଆଜି ସବୁ ମନ୍ତ୍ରୀମାନଙ୍କଠୁ ଇସ୍ତଫା ନେଇଥିବାରୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ସମ୍ଭାବନା ଅଧିକ ରହିଛି ।