କ୍ୟାବିନେଟରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ
ଓଡ଼ିଆ ଭାଷାରେ ଦେଇହେବ ଓସିଏସ୍ ପରୀକ୍ଷା
ଚଳିତବର୍ଷ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ର ଗୁରୁରତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏଥିରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ , ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଗୃହ , ଇସ୍ପାତ ଓ ଖଣି ବିଭାଗର ପ୍ରସ୍ତାବ ସାମିଲ ରହିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ନିଷ୍ପତି ସମ୍ପର୍କରେ ସୂଚନା ଦେଇଥିଲେ ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଓସିଏସ ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଥିରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଣିକି ପରୀକ୍ଷାର୍ଥୀମାନେ ଲିଖିତ ପରୀକ୍ଷାରେ ଇଂରାଜୀ କିମ୍ବା ଓଡିଆରେ ଲେଖିପାରିବେ । ପରୀକ୍ଷାରେ କେବଳ ଗୋଟିଏ ଅପସନାଲ ବିଷୟ ରହିବ । ଅଣସଂରକ୍ଷିତ ବର୍ଗର ପିଲା ୪ ଥର ବଦଳରେ ୬ ଥର ପରୀକ୍ଷା ଦେଇପାରିବେ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନଙ୍କ ପାଇଁ କୌଣସି ସମୟସୀମା ନାହିଁ ।ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ପ୍ରାର୍ଥୀ ସର୍ବାଧିକ ୯ ଥର ପରୀକ୍ଷା ଦେଇପାରିବେ । ଏହା ବ୍ୟତୀତ ଓସିଏସ୍ ପରୀକ୍ଷାରେ ପୂର୍ବରୁ ୨୨୫୦ ମାର୍କର ପରୀକ୍ଷା ହେଉଥିଲା । ଏହାକୁ ସଂଶୋଧନ କରାଯାଇଛି । ଏଣିକି ଇଂଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା କରାଯିବ ।
ସେହିଭଳି ‘ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୨-୨୩’କୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଚଳିତ ଖରିଫ ବର୍ଷରେ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିମଧ୍ୟରୁ ଆସନ୍ତା ଖରିଫ ଚାଷରେ ୫୭ ଲକ୍ଷ ମେଟ୍ରିକ ଟନ ଓ ରବି ଚାଷରେ ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବେ ସରକାର । ନଭେମ୍ବର ରୁ ମାର୍ଚ୍ଚ ମାସ ଯାଏ ଖରିଫ ପାଇଁ ଧାନ ସଂଗ୍ରହ ହେବ ଓ ମେ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ । ସେହିପରି ୪୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ।