୯ ବୃହତ୍ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ନିବେଶ ହେବ ୧.୫୩ ଲକ୍ଷ କୋଟି ଟଙ୍କା
ରାଜ୍ୟରେ ସୃଷ୍ଟି ହେବ ୨୭ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର: ରାଜ୍ୟରେ ଆଉ ୯ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ହାଇ ଲେବଲ୍ କ୍ଲିୟରାନ୍ସ ଅଥରିଟିରେ ଏହି ସବୁ ପ୍ରକଳ୍ପକୁ ମଞ୍ଜୁରୀ ମିଲିଛି । ଏହି ୯ ପ୍ରକଳ୍ପରେ ୧.୫୩ ଲକ୍ଷ କୋଟି ଟଙ୍କାର ନିବେଶ ନେଇ ଲକ୍ଷ୍ୟ ରହିଥିବା ବେଳେ ଏଥିରେ ୨୭ ହଜାରରୁ ଅଧିକ ଚାକିରି ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହାଇଲେଭଲ କ୍ଲିଅରାନ୍ସ ଅଥରିଟି (ଏଚଏଲସିଏ) ବୈଠକରେ ଗ୍ରୀନ୍ ଏନର୍ଜିଂ ଓ ଉପକରଣ କ୍ଷେତ୍ରର ୪ଟି ପ୍ରକଳ୍ପ, ପେପର ଶିଳ୍ପର ୨ଟି ପ୍ରକଳ୍ପ, ମେଟାଲ ଓ ମିନେରାଲ କ୍ଷେତ୍ରର ୨ଟି ଓ ଗୋଟିଏ ଆଇଟି କ୍ଷେତ୍ରର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ଥାପିତ ହେବ ।
ଆର୍ସେଲର ମିତଲ ନିପନ ଷ୍ଟିଲ ଇଣ୍ଡିଆ ୩୮ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପରେ ବାର୍ଷିକ ୭ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ । ଏହା ଦ୍ୱାରା ୧୧୪୯୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ରୁଙ୍ଗଟା ମେଟାଲସ ପ୍ରାଃ ଲିମିଟେଡ୍ ୧୧୪୦କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜରେ ନିଜର ଷ୍ଟିଲ ପ୍ଲାଂଟକୁ ବାର୍ଷିକ ୦.୫ ନିୟୁତ ଟନରୁ ଏକ ନିୟୁତ ଟନ କ୍ଷମତାକୁ ସମ୍ପ୍ରସାରଣ କରିବ । ଏହାଦ୍ୱାରା ଅଧିକ ୧୦୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଏସିଏମଇ କ୍ଲିନ୍ ଏନର୍ଜି ପ୍ରାଃ ଲିମିଟେଡର ୫୮୨୦୯.୧୩କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ସାମିଲ ଅଛି । କମ୍ପାନୀ ୧.୧ ମିଲିୟନ କ୍ଷମତା ବିଶିଷ୍ଟ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଂଟ ଓ ଗ୍ରୀନ୍ ଆମୋନିଆ ପ୍ଲାଂଟ ଜଗତସିଂହପୁର ଜିଲ୍ଲାର କୁଜଙ୍ଗଠାରେ ସ୍ଥାପନ ହେବ । ସେହିପରି ୪୫୦୦ ମେଗାୱାଟ ସୋଲାର ପାୱାର ପ୍ଲାଂଟ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ସ୍ଥାପନ କରିବ । ଏହାଦ୍ୱାରା ମୋଟ ୩୪୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।
ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଂଟରେ ହେବ ବଡ଼ ନିବେଶ । ରାଜ୍ୟର ତିନିଟି ଜିଲ୍ଲାରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଂଟ । ଜଗତସିଂହପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଏହି ପ୍ଲାଂଟ ପ୍ରତିଷ୍ଠା ହେବ । ଏସିଏମଇ କ୍ଲିନ୍ ଏନର୍ଜି ପ୍ରତିଷ୍ଠା କରିବ ପ୍ଲାଂଟ, ଏଥିପାଇଁ ୫୮,୨୦୯ କୋଟି ନିବେଶ ହେବ । ସେହିପରି ଗଞ୍ଜାମରେ ଆଭାଡା ଗ୍ରୀନକୁ ମିଳିଲା ମଞ୍ଜୁରୀ । ପ୍ଲାଂଟ ପାଇଁ ଆଭାଡା ନିବେଶ କରିବ ୨୩,୫୦୦ କୋଟି ଟଙ୍କା । ପାରାଦୀପରେ ରିନ୍ୟୁ ଇଫ୍ୟୁଏଲ ପ୍ରାଇଭେଟ ଲିମିଟେଡର ପ୍ଲାଂଟକୁ ମଧ୍ୟ ହାଇ ଲେବଲ୍ କ୍ଲିୟରାନ୍ସ ଅଥରିଟିରେ ମଞ୍ଜୁରୀ ମିଳିଛି । ଏଥିପାଇଁ ଆଇଏଫପିଏଲ ନିବେଶ କରିବ ୨୦ ହଜାର କୋଟି । ଗୋପାଳପୁରରେ ଓସିଅର ଏନର୍ଜିକୁ ଅନୁମୋଦନ ମିଳିଛି । ଗ୍ରୀନ୍ ଆମୋନିଆ ପ୍ଲାଂଟ ପାଇଁ ନିବେଶ ୭,୨୦୦ କୋଟି ନିବେଶ ହେବ । ବାଲେଶ୍ୱର ରେମୁଣାରେ ବ୍ୟାଙ୍କ ନୋଟ୍ ପେପର ମିଲ ପାଇଁ ଅନୁମତି ମିଳିଛି । ନୋଟ୍ ପ୍ଲାଂଟ ପାଇଁ ନିବେଶ ହେବ ୨,୫୦୦ କୋଟି ଟଙ୍କା । ପାରାଦୀପରେ ଷ୍ଟିଲ୍ ପ୍ଲାଂଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛି ଏଚଏଲସିଏ । ବାର୍ଷିକ ୭ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର ମିତଲ, ଏଥିପାଇଁ ନିବେଶ ହେବ ୩୮ ହଜାର କୋଟି ଟଙ୍କା । ଏହି ପ୍ଲାଂଟ ହେବା ଦ୍ୱାରା ୧୧,୪୯୫ ଜଣଙ୍କୁ ନିଯୁକ୍ତି ମିଳିବ ।