ଛତିଶା ନିଯୋଗ ବୈଠକ : ଡିସେମ୍ବର ୩୧ ଓ ନୂଆବର୍ଷରେ ଜଗା ଦର୍ଶନ ମନା
ପୁରୀ : ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ଚଳିତ ମାସ ୩୧ ତାରିଖ ଓ ଜାନୁଆରୀ ୧ତାରିଖରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ । ଚଳିତ ମାସ ୧୬ତାରିଖରୁ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗ ନୀତି ନିର୍ଘଣ୍ଟ ହୋଇଛି । ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ସକାଳ ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ନୂତନ ଏସଓପି ଆସିବା ପରେ ମହାପ୍ରଭୁଙ୍କ ଦର୍ଶନ ସମୟ ପରିବର୍ତ୍ତନ କରାଯିବ।
ସକାଳ ୫ଟା ୩୦ରୁ ୯ଟା ୩୦ପର୍ଯ୍ୟନ୍ତ ଦର୍ଶନ ଚାଲିବ । ବନକ ଲାଗି ଓ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଦିନ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ । ଭକ୍ତମାନେ ପାର୍ଶ୍ୱ ଦେବାଦେବୀ, ଗରୁଡ଼ ସ୍ତମ୍ଭ ଦର୍ଶନ ସମେତ ମହାପ୍ରସାଦ ସେବନ କରିପାରିବେ । ଚଳିତ ମାସର ସମସ୍ତ ରବିବାର ସମେତ ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖ (ନୂଆବର୍ଷ) ଦିନ ଶ୍ରୀମନ୍ଦିର ବନ୍ଦ ରହିବ।
ପୂର୍ବପରି କୋଭିଡ କଟକଣା ପାଇଁ ୯୬ଘଣ୍ଟାର ଆରଟିପିସିଆର ରିପୋର୍ଟ ଓ ଡବଲ ଡୋଜ ଟିକା କରଣର ରିପୋର୍ଟ ଦେଖାଇ ଦର୍ଶନ ପାଇଁ ଯାଇପାରିବେ । ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ପ୍ରବେଶ ନିମନ୍ତେ ଅନ୍ୟ ବୈଠକ ପରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣାଇଛନ୍ତି । ନୀଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା,ଏସପି ଓ ଶ୍ରୀମନ୍ଦିର ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।