ଛଟେଇ ହେବେନି କୌଣସି କର୍ମଚାରୀ ! ବିଭିନ୍ନ ଷ୍ଟାର୍ଟଅପରେ ଚାକିରି ହରାଇଥିବା ଲୋକଙ୍କୁ ନିଯୁକ୍ତି ଦେବ ଟିସିଏସ
ମୁମ୍ବାଇ : ବିଶ୍ବରେ ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥା ଚିନ୍ତାର କାରଣ ପାଲଟିଛି । ଫଳରେ ପ୍ରମୁଖ ଟେକ୍ନୋଲୋଜି କମ୍ପାନିମାନେ କର୍ମଚାରୀ ଛଟେଇ ପ୍ରକ୍ରିୟା ଜାରି ରଖିଛନ୍ତି । ଇତିମଧ୍ୟରେ ଗୁଗଲ, ମାଇକ୍ରୋସପ୍ଟ, ଟ୍ବିଟର୍ ଠାରୁ ଫେସବୁକ୍ ଭଳି ଅନ୍ତରାଷ୍ଟ୍ରୀୟ ଟେକ୍ କମ୍ପାନୀମାନେ ନିଜର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ନେଇ ଘୋଷଣା କରିସାରିଛନ୍ତି । ଭାରତରେ ମଧ୍ୟ ଅନେକ ଆଇଟି କମ୍ପାନୀ ଛଟେଇ କରିଛନ୍ତି । ଏହାରି ମଧ୍ୟରେ ଭାରତର ସବୁଠାରୁ ବଡ଼ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ କୌଣସି କର୍ମଚାରୀଙ୍କୁ ଛଟେଇ କରିବା ସମ୍ପର୍କରେ ବିଚାର କରାଯାଉ ନାହିଁ । ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପରେ ଦୀର୍ଘ କ୍ୟାରିୟର ପାଇଁ ଗ୍ରୁମିଂ ପ୍ରତିଭାଙ୍କ ଉପରେ କମ୍ପାନୀ ବିଶ୍ୱାସ ସ୍ଥାପନ କରେ । କେବଳ ଏତିକି ନୁହେଁ, ବିଭିନ୍ନ ଷ୍ଟାର୍ଟଅପରେ ଚାକିରି ହରାଇଥିବା ଲୋକମାନଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ କମ୍ପାନି ଘୋଷଣା କରିଛି ।
ପିଟିଆଇକୁ ସୂଚନା ଦେଇ ଟିସିଏସର ମୁଖ୍ୟ ମାନବ ସମ୍ବଳ ଅଧିକାରୀ (ଏଚଆର) ମିଲିଣ୍ଡ ଲାକ୍କଡ କହିଛନ୍ତି, ଆମେ କେବେ କର୍ମଚାରୀଙ୍କ ଛଟେଇ କରୁନାହୁଁ । ଅଭିଜ୍ଞତାକୁ ଚିହ୍ନି କର୍ମଚାରୀଙ୍କୁ ଆଗକୁ ବଢାଇବାକୁ ପ୍ରେରଣା ଯୋଗାଇବା କମ୍ପାନୀ ସର୍ବଦା ଚାହିଁଆସିଛି । ତେଣୁ ଛଟେଇର ପ୍ରଶ୍ନ ଉଠୁନାହିଁ। ଯେତେବେଳେ ଆବଶ୍ୟକ ହେଉଥିବା ଦକ୍ଷତା ଓ କର୍ମଚାରୀଙ୍କ ମଧ୍ୟରେ କିଛି ଅନ୍ତର ଦେଖାଦିଏ, ସେ କ୍ଷେତ୍ରରେ କମ୍ପାନୀ କର୍ମଚାରୀଙ୍କୁ ଟ୍ରେନିଂ ଦେବାକୁ ଗୁରୁତ୍ୱ ଦେଇଥାଏ ।
ସେ କହିଛନ୍ତି ଯେ, ଅନ୍ୟ କମ୍ପାନିମାନେ ଯେତେବେଳେ ନିଯୁକ୍ତି ଦେଉଛନ୍ତି, ସେମାନେ ନିଜର ଆବଶ୍ୟକତାଠାରୁ ଅଧିକ ନିଯୁକ୍ତି ଦେଉଛନ୍ତି । କିନ୍ତୁ ଟିସିଏସ ସେପରି କରେ ନାହିଁ । ଯେଉଁମାନେ ସେମାନଙ୍କର ଚାକିରି ହରାଇଥିବେ ସେମାନଙ୍କୁ କମ୍ପାନୀ ହାୟର କରିବାକୁ ଚାହୁଁଛନ୍ତି । ଏଠାରେ ଯେତେବେଳେ ଜଣେ କର୍ମଚାରୀ ଯୋଗ ଦିଏ, ତେବେ ତାଙ୍କ ଉତ୍ପାଦକତା ବଢାଇବା କମ୍ପାନିର ଦାୟିତ୍ବ ହୋଇଯାଏ । ଏଣୁ ତାଙ୍କୁ ଏକ ଲମ୍ବା କ୍ୟାରିୟର ପାଇଁ ତାଲିମ ଦିଆଯାଏ ଓ ପ୍ରସ୍ତୁତ କରାଯାଏ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିଏସଏସରେ ଏବେ ୬ ଲକ୍ଷ କର୍ମଚାରୀ ଅଛନ୍ତି ଓ ଗତ ବର୍ଷ ପରି ଚଳିତ ବର୍ଷ କର୍ମଚାରୀମାନଙ୍କ ଦରମା ବୃଦ୍ଧି କରାଯିବ । ଗତ ବର୍ଷକ ମଧ୍ୟରେ ଆମେ ୧.୧୯ ଲକ୍ଷ ଟ୍ରେନି ବା ପ୍ରଶିକ୍ଷାର୍ଥୀ କର୍ମଚାରୀଙ୍କ ସମେତ ମୋଟ ୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛୁ । ଏହା ସହିତ ଖୁବଶୀଘ୍ର କମ୍ପାନୀ ଦରମା ବୃଦ୍ଧି କରିବା ପାଇଁ ବି ଯୋଜନା କରୁଛି । ବର୍ତ୍ତମାନ ୪୦% କର୍ମଚାରୀ ସପ୍ତାହରେ ୩ ଦିନ କାର୍ଯ୍ୟାଳୟକୁ ଆସି କାମ କରୁଥିବା ବେଳେ ଅବଶିଷ୍ଟ ଦିନ ଓ୍ବାର୍କ ଫ୍ରମ୍ ହୋମ୍ ବା ଘରେ ରହି କାମ କରୁଛନ୍ତି । ସେହିଭଳି ୬୦% କର୍ମଚାରୀ ସପ୍ତାହକୁ ୨ ଦିନ କାର୍ଯ୍ୟାଳୟକୁ ଆସି କାମ କରୁଛନ୍ତି ।