ଏଏସଓ ପରୀକ୍ଷାରେ ଅନିୟମିତତା ହୋଇନି : ଓପିଏସସି ଅଧ୍ୟକ୍ଷ
ଭୁବନେଶ୍ୱର : ଏଏସଓ ପରୀକ୍ଷାରେ କୌଣସି ପ୍ରକାର ଅନିୟମିତତା ହୋଇ ନାହିଁ । ଅତ୍ୟନ୍ତ ସ୍ୱଚ୍ଛତାର ସହ ପରୀକ୍ଷା ହୋଇଛି । ମେଧା ହିଁ ପ୍ରାର୍ଥୀ ଚୟନର ଏକମାତ୍ର ମାପଦଣ୍ଡ । ଏଥିସହ ଯାହାର ଅଭିଯୋଗ କରିବାର ଅଛି ରେଜଲ୍ଟ ବାହାରିବା ପରେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଫାଇନାଲ ରେଜଲ୍ଟ ପରେ ହିଁ ମାର୍କସିଟ୍ ଓ ଉତର ଅପଲୋଡ୍ ହେବ । ପୂର୍ବରୁ ହାଇକୋର୍ଟ ଉତର ଅପଲୋଡ୍ ନେଇ ୨୦୧୬ରେ ନିର୍ଦ୍ଦେଶ ଦେଇଥିଲେ । ଚଳିତ ପରୀକ୍ଷାରେ ସାଧାରଣ ବର୍ଗ ପାଇଁ ୪୦% ଓ ଏସଇବିସି/ଏସସି/ ଏସଟିଙ୍କ ପାଇଁ ୩୦% ସର୍ବନିମ୍ନ ଯୋଗ୍ୟତା ମାର୍କ ଥିଲା । କୌଣସି ଏକ ବିଷୟରେ ସର୍ବନିମ୍ନ ମାର୍କ ରଖିନଥିଲେ ପ୍ରାର୍ଥୀ ମନୋନୀତ ହୋଇନଥିବେ । ଫାଇନାଲ୍ ରେଜଲ୍ଟ ବାହାରିବା ପରେ ସେମାନେ ଅଭିଯୋଗ କରିପାରିବେ । ସେତେବେଳେ ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।