ପୋଲିସ ବାରାକରେ ବାଜିଲା ସାହାନାଇ, ପଡ଼ିଲା ଦୁଇ କ୍ୟାଡର ନକ୍ସଲଙ୍କ ହାତଗଣ୍ଠି
ଭବାନୀପାଟଣା : ପୋଲିସ ବାରାକରେ ପଡ଼ିଲା ହାତଗଣ୍ଠି । କଳାହାଣ୍ଡି ପୋଲିସ୍ ବାରାକରେ ଥିବା ଦୁର୍ଗା ମନ୍ଦିରରେ ଦୁଇ କ୍ୟାଡର ନକ୍ସଲ କମଲ ଦେଇ ଓ ରାମ ଦାସଙ୍କ ବିବାହ ସମ୍ପନ୍ନ ହୋଇଛି।
କଲମ ଓ ରାମଙ୍କ ବାହାଘର ପାଇଁ ସଜେଇ ହୋଇଥିଲା ବାରାକ। ବେଦୀରେ ବର ବେଶରେ ବସିଥିଲେ ରାମ ଦାସ। ଆଉ ବଧୂ ସାଜିଥିଲେ କଲମ। ପୂରୋହିତଙ୍କ ମନ୍ତ୍ର ଉଚ୍ଚାରଣ ଭିତରେ ଉଭୟ ପରସ୍ପର ବେକରେ ବରଣା ମାଳ ପକାଇଥିଲେ। ତା’ପରେ କଲମଙ୍କ ସିନ୍ଥିରେ ସିନ୍ଦୂର ଭରିଥିଲେ ରାମ। ବାହାଘର ସମୟରେ ଉଭୟ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ ଓ ପୁଲିସ୍ କର୍ମଚାରୀ ଉପସ୍ଥିତ ରହିଥିଲେ। ବାହାଘର ପରେ ଆୟୋଜନ ହୋଇଥିଲା ଭୋଜି। ବାହା ଘର ପରେ କଲମ ସ୍ୱାମୀ ରାମ ଦାସଙ୍କ ସହିତ ଶାଶୁ ଘରକୁ ଯାଇଥିବା ଜଣାପଡ଼ିଛି। ଏହି ବିବାହ ଉତ୍ସବରେ ଡିଆଇଜି ରାଜେଶ ପଣ୍ଡିତ, କଳାହାଣ୍ଡି ଏସ୍ପି ଶ୍ରବଣ ବିବେକ ଏମ୍, କମଣ୍ଡାଣ୍ଟ ବିପ୍ଳବ ସରକାର ଓ ଜିଲ୍ଲାର ସବୁଥାନାର ଆଇଆଇସିମାନେ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ।
ସୂଚନା ଯେ, ଦୁର୍ଦ୍ଦାନ୍ତ ନକ୍ସଲ କ୍ୟାଡର କଲମ ଦେଇ ୨୦୧୬ ମସିହାରେ କଳାହାଣ୍ଡି ପୁଲିସ୍ ପାଖରେ ଆତ୍ମସମର୍ପଣ କରିଥିଲେ। ସେ ଆତ୍ମସମର୍ପଣ କରିବା ପରେ ଘରକୁ ଯାଇନଥିଲେ। ଭବାନୀପାଟଣାରେ ଥିବା ପୁଲିସ୍ ବାରାକରେ ରହୁଥିଲେ। ଠିକ୍ ସେମିତି ୨୦୨୦ ମସିହାରେ ଛତିଶଗଡ଼ କ୍ୟାଡର ନକ୍ସଲ ରାମ ଦାସ ଓଡ଼ିଶା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ସେ ମଧ୍ୟ ଭବାନୀପାଟଣାରେ ଥିବା ବାରାକରେ ରହୁଥିଲେ। ପୁଲିସ କର୍ମଚାରୀଙ୍କ ସହିତ ମିଶି ଉଭୟ କଲମ ଓ ରାମ ଦାସ ବାରାକର ବଗିଚା କାମ କରୁଥିଲେ। ବଗିଚାରେ କାମ କରୁଥିବା ବେଳେ ଆଖିରେ ଆଖି ମିଶିଥିଲା। ଉଭୟ ପରସ୍ପର ପ୍ରେମରେ ପଡ଼ିଥିଲେ। ଆଉ ତା’ପରେ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏନେଇ ବାରାକରେ କାର୍ଯ୍ୟରତ ପୁଲିସ୍ ଅଧିକାରୀଙ୍କୁ ଉଭୟ କହିଥିଲେ। ଏହା ପରେ ଦୁଇ ପରିବାରକୁ ଡାକି ଆଲୋଚନା କରାଯାଇଥିଲା। ବହୁ ଆଲୋଚନା ପରେ ତିଥି ନିର୍ଦ୍ଧାରଣ କରାଯାଇଥିଲା।