ଶ୍ରେଣୀ ଗୃହ ସଫେଇ ବେଳେ ମିଳିଲା ଦେଶୀ ବନ୍ଧୁକ
କୁଚିଣ୍ଡା : ସମ୍ବଲପୁର ଜିଲା ଜମନକିରା ଥାନା ରେଙ୍ଗୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ସଫେଇ ବେଳେ ମିଳିଲା ଦେଶୀ ପିସ୍ତଲ (ବନ୍ଧୁକ) । ଦେଶୀ ବନ୍ଧୁକଟି କାହାର ଓ କେଉଁ ପରିସ୍ଥିତିରେ ସ୍କୁଲକୁ ଆସିଲା ତାହା ଜଣାପଡ଼ିନି ।
ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଗୋବିନ୍ଦ ଭୋଇ ନାମକ କାର୍ଯ୍ୟରତ ଥିବା ବେଳେ ଗତ ୪ ତାରିଖ ଦିନ ତାଙ୍କର ଅନ୍ୟ ଜାଗାକୁ ବଦଳି ହୋଇଛି । ସେ ବିଦ୍ୟାଳୟର ଦୁଇଟି କୋଠରୀ ନିଜ ଅଧିନରେ ରଖିଥିଲେ । ବଦଳି ପରେ ମଧ୍ୟ ଶିକ୍ଷକ କୋଠରୀ ଖାଲି କରିନଥିବାରୁ ପିଲାଙ୍କୁ ପାଠପଢାରେ ଅସୁବିଧା ଉପୁଜିଥିଲା । ଶେଷରେ ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷକଙ୍କ ଅନୁପସ୍ଥିତିରେ ତାଙ୍କର ସମସ୍ତ ଅବାସ ପତ୍ରକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଜରିଆରେ ଅନ୍ୟ କୋଠରୀରେ ରଖୁଥିଲେ । ଠିକ୍ ଏହି ସମୟରେ ଘରୁ ଏକ ବନ୍ଧୁକ ବାହାରିଥିଲା । ତେବେ ସ୍କୁଲ ଭିତରୁ ବନ୍ଧୁକ ବାହାରିବା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ ।
ସୂଚନା ଯେ, ଉକ୍ତ ଶିକ୍ଷକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି । ଗତ ଅକ୍ଟୋବର ମାସରେ ବିଦ୍ୟାଳୟ ନିକଟସ୍ଥ ଡିଲେଶ୍ବର ସାହୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ବେଳେ ଗତ ଫେବୃଆରି ମାସରେ ବିଦ୍ୟାଳୟ ସଂଲଗ୍ନ ମହେନ୍ଦ୍ର ସାହୁଙ୍କର ଏକ କାର ଓ ବାଇକକୁ ଟାଙ୍ଗିଆରେ ଭାଙ୍ଗି ଦେଇଥିଲେ । ଏନେଇ ଜମନକିରା ଥାନାରେ ମାମଲା ମଧ୍ୟ ରହିଛି ।