ଆପକୁ ମିଳିଲା ଜାତୀୟ ଦଳ ମାନ୍ୟତା, ହରାଇଲେ ଏନସିପି-ଟିଏମସି-ସିପିଆଇ
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ୍)କୁ ମିଳିଲା ଜାତୀୟ ଦଳର ମାନ୍ୟତା। ସେହିପରି ଶରଦ ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ (ଏନସିପି), ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଜାତୀୟ ଦଳ ମାନ୍ୟତା ହରାଇଛନ୍ତି । ଏନେଇ ନିର୍ବାଚନ ଆୟୋଗଙ୍କ ତରଫରୁ ଜାରି ଏକ ଆଦେଶରେ ସୂଚନା ଦିଆଯାଇଛି ।
ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି ଯେ, ଚାରି ରାଜ୍ୟ, ଦିଲ୍ଲୀ, ଗୋଆ, ପଞ୍ଜାବ ଏବଂ ଗୁଜରାଟରେ ନିର୍ବାଚନୀ ପ୍ରଦର୍ଶନ ଆଧାରରେ ଆପ୍କୁ ଜାତୀୟ ଦଳ ମାନ୍ୟତା ମିଳିଛି। ଏହାସହ ବର୍ତ୍ତମାନ ଦେଶରେ ବିଜେପି, କଂଗ୍ରେସ, ସିପିଏମ, ବହୁଜନ ସମାଜ ପାର୍ଟ, ଏନସିପି ଏବେ ଜାତୀୟ ଦଳ ହୋଇଛନ୍ତି। ସେହିପରି ଜାରି ଆଦେଶରେ ଆୟୋଗ ଉତ୍ତର ପ୍ରଦେଶରେ ଆରଏଲଡି, ଆନ୍ଧ୍ର ପ୍ରଦେଶରେ ବିଆରଏସ, ମଣିପୁରର ପିଡିଏ, ପୁଡ଼ୁଚେରୀର ପିଏମକେ, ପଶ୍ଚିମବଙ୍ଗର ଆରଏସପି ଏବଂ ମିଜୋରାମରେ ଏମପିସିକୁ ଦିଆଯାଇଥିବା ଆଞ୍ଚଳିକ ଦଳର ମାନ୍ୟତା ମଧ୍ୟ ପ୍ରତ୍ୟାହାର କରିଛନ୍ତି। ଏହାସହ ନାଗାଲ୍ୟାଣ୍ଡ୍ର ଲୋକ ଜନଶକ୍ତି ପାର୍ଟୀ(ଏଲଜେପି), ତ୍ରିପୁରାରେ ଟିପରା ମୋଥା, ପଶ୍ଚିମବଙ୍ଗରେ ଆରଏସପି, ମେଘାଳୟରେ ଭଏସ ଅଫ୍ ଦି ପିପୁଲ୍ସ ପାର୍ଟୀଙ୍କୁ ଆଞ୍ଚଳିକ ଦଳର ମାନ୍ୟତା ମିଳିଛି।
ସୂଚନା ଯେ, ଏକ ଜାତୀୟ ଦଳ ହେବା ପାଇଁ ଗୋଟିଏ ଦଳକୁ ୪ଟି ରାଜ୍ୟରେ ୬ପ୍ରତିଶତ ଭୋଟ୍ ଭାଗ ଆବଶ୍ୟକ ଏବଂ କେଜ୍ରିୱାଲଙ୍କ ଆପ୍ ଜାତୀୟ ଦଳ ହେବାର ସବୁ ସର୍ତ୍ତ ପୂରଣ କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଦିଲ୍ଲୀ, ପଞ୍ଜାବ, ଗୋଆ ଏବଂ ଗୁଜରାଟରେ ଏକ ରାଜ୍ୟ ରାଜନୈତିକ ଦଳ ଭାବରେ ମାନ୍ୟତା ପାଇଛି।