ଦିଲ୍ଲୀରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍
- ବିବାହ ଉତ୍ସବ ଓ ଶେଷ କୃତ୍ୟରେ ୧୦୦ ଜଣଙ୍କୁ ଅନୁମତି
- ଶହେ ପ୍ରତିଶତ କ୍ଷମତାରେ ଚାଲିଲା ମେଟ୍ରୋ ଓ ବସ୍
ନୂଆଦିଲ୍ଲୀ : ସୋମବାର ଠାରୁ ରାଜଧାନୀ ଦିଲ୍ଲୀରେ ଖୋଲିଲା ସିନେମା ହଲ, ଥିଏଟର ଓ ମଲ୍ଟିପ୍ଲେକ୍ସ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିଲା ସିନେମା ହଲ। ସେହିପରି ବିବାହ ଉତ୍ସବ ଓ ଶେଷ କୃତ୍ୟ କାର୍ଯ୍ୟରେ ୧୦୦ ଜଣ ପର୍ଯ୍ୟନ୍ତ ଲୋକ ସାମିଲ ହେବାକୁ ଅନୁମତି ଦେଇଛନ୍ତି। ସେହିପରି ମେଟ୍ରୋ ଯାତ୍ରାରେ ମଧ୍ୟ କୋହଳ ହୋଇଛି। ୧୦୦ ପ୍ରତିଶତ କ୍ଷମତା ସହିତ ମେଟ୍ରୋ ଚାଲିବ ହେଲେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। ସେହିପରି ଦିଲ୍ଲୀ ସରକାର ସର୍ତ୍ତ ମୂଳକ ଭାବେ ସ୍ପା ଖୋଲିବା ଅନୁମତି ଦେଇଛନ୍ତି। ତେବେ ସ୍ପାରେ କାମ କରୁଥିବା କର୍ମଚାରୀମାନେ ଦୁଇଟି ଡୋଜ ଟିକା ନେଇଥିବା ଜରୁରୀ ବୋଲି କୁହାଯାଇଛି। ଆନ୍ତରାଜ୍ୟ ବସ୍ ଚଳାଚଳ ୧୦୦ ପ୍ରତିଶତ କ୍ଷମତା ସହିତ ହେବ। ଏଥିସହିତ ଦିଲ୍ଲୀରେ ପୂର୍ବ ପରି ସ୍କୁଲ, କଲେଜ, ଇନଷ୍ଟିଚ୍ୟୁଟ, ସାମାଜିକ, ରାଜନୈତିକ, ସ୍ପୋର୍ଟ୍ସ, ସାଂସ୍କୃତିକ, ଧାର୍ମିକ, ପର୍ବପର୍ବାଣୀ ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି।
ସେହିପରି ମଲ୍ଟିପ୍ଲେକ୍ସ, ସିନେମା ହଲ, ଥିଏଟରରେ ୫୦ ପ୍ରତିଶତ ଦର୍ଶକରେ ଖୋଲିବାକୁ ଅନୁମତି ଦିଆଯାଇଛି । ବିବାହରେ ଶହେ ଓ ଅନ୍ତେଷ୍ଟି କ୍ରିୟାରେ ୫୦ ଜଣଙ୍କୁ ଉପସ୍ଥିତ ରହିବା ପାଇଁ ଅନୁମତି ଦିଆଯାଇଛି । ସମସ୍ତ ଅଡିଟୋରିୟମ ମଧ୍ୟ ଖୋଲିପାରିବ । ମାତ୍ର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ରାଜନୈତିକ, ଧାର୍ମିକ ସଭା ଅଥବା କ୍ରୀଡା ପ୍ରତିଯୋଗିତା ଆୟୋଜନ ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ । ସୂଚନା ଯୋଗ୍ୟ, ଏବେ ମଧ୍ୟ ମେଟ୍ରୋ ଓ ବସ୍ ରେ ଯାତ୍ରୀ ବସିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବେଳେ କେହି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ । ଏଭଳି ଗାଇଡଲାଇନ ଜାରି ହୋଇଥିବା ବେଳେ ଆଜି ମେଟ୍ରୋ ଷ୍ଟେସନ ବାହାରେ ଯାତ୍ରୀଙ୍କ ଲମ୍ବା ଲାଇନ ଦେଖାଯାଇଥିଲା । ଭିଡ ହେବା କାରଣରୁ ଷ୍ଟେସନ ବାହାରେ ଯାତ୍ରୀମାନେ ଲାଇନରେ ଠିଆ ହୋଇଥିଲେ ।