ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫ୍ଏମ୍ୟୁ) ଓ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ କଲିକତା, ଭାରତ ସରକାରଙ୍କ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ବିଭିନ୍ନ ଦିଗରୁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ପୂରଣ ହେବା ସହିତ ପ୍ରାଣୀ ବିଜ୍ଞାନ କ୍ଷେତ୍ରରେ ଅଧ୍ୟୟନ ଗବେଷଣା ନିମିତ୍ତ ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ଉପଯୁକ୍ତ ଓ ପ୍ରଶସ୍ଥ କ୍ଷେତ୍ର ଯୋଗାଇବା ସମ୍ଭବ ହୋଇପାରିବ । ଏହି ବୁଝାମଣାପତ୍ର ସ୍ୱାକ୍ଷର ହେବା ଦ୍ୱାରା ଉଭୟ ଅନୁଷ୍ଠାନ ମଧ୍ୟରେ କର୍ମକର୍ତ୍ତା ତଥା ବିଦ୍ୟାର୍ଥୀଙ୍କ ଆଦାନ-ପ୍ରଦାନ ଜରିଆରେ ପ୍ରାଣୀ ଜଗତ ସମ୍ପର୍କରେ ଅଧିକରୁ ଅଧିକ ଓ ପ୍ରାମାଣିକସ୍ତରର ତଥ୍ୟ ସଂଗ୍ରହ ଓ ପ୍ରୟୋଗ କ୍ଷେତ୍ରରେ ଧାରଣା ସ୍ପଷ୍ଟ ହେବ ।
ଏହାବ୍ୟତୀତ ଏହି ଏମ୍ଓୟୁ ସ୍ୱାକ୍ଷର ଦ୍ୱାରା ଉଭୟ ଅନୁଷ୍ଠାନ ମଧ୍ୟରେ ପାରସ୍ପରିକ ସହଯୋଗର ନୂଆ ନୂଆ ଦିଗ ଉନ୍ମୋଚିତ ହେବ ଏବଂ ବୈଜ୍ଞାନିକଙ୍କ ମଧ୍ୟରେ ଜ୍ଞାନିକ ଆଦାନ ପ୍ରଦାନର ଅବସର ସୃଷ୍ଟି ହୋଇ ବିଭିନ୍ନ ପ୍ରକାରର ପରିଯୋଜନାରେ ସହଯୋଗ ନିମିତ୍ତ ସୁଯୋଗ ଓ ସହାୟତା ସମ୍ଭବ ହୋଇପାରିବ ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରକାଶ କରିଥିଲେ । ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଡ. ଧ୍ରୁତି ବାନାର୍ଜୀ ଉପସ୍ଥିତ ରହି ଏହି ପରିଯୋଜନାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଓ ପ୍ରାଣୀଜଗତର ବାର୍ତ୍ତମାନିକ ଦୁଃସ୍ଥିତି ଓ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ସଚେତନ କରାଇ ଏହି ଏମ୍ଓୟୁ ସ୍ୱାକ୍ଷର ଜରିଆରେ ଏକ ଦାୟବଦ୍ଧ ମନୋଭାବ ପୋଷଣ ପୂର୍ବକ ଗବେଷଣା ଓ ସିଦ୍ଧାନ୍ତ ନିରୂପଣ ସକାସେ ପ୍ରୟାସ କରାଯାଇ ପାରିବ ବୋଲି ମତ ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ, କୁଳସଚିବ କୁକୁମୀନା ଦାସ, ଡ. ଏଲ୍ସା ପଣ୍ଡିତ, ଭାସ୍କର ବେହେରା ପ୍ରମୁଖ ଏହି ସ୍ୱାକ୍ଷରନାମା ପଦକ୍ଷେପର ବହୁବିଧ ଉପଯୋଗିତା ଓ ପ୍ରୟୋଜନୀୟତା ରହିଥିବା କଥା ପ୍ରକାଶ କରିଥିଲେ । ଶେଷରେ ଡ. ଏମ୍. ଭଟ୍ଟାଚାର୍ଯ୍ୟ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।