ଗୁଜୁରାଟ ବନ୍ୟାରେ ଫସି ରହିଥିବା ୨୦୦ ରୁ ଅଧିକ ଲୋକ ଉଦ୍ଧାର
- ପ୍ରଭାବିତ ଅଂଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଗୁଜୁରାଟ : ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରାଜ୍ୟ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙକ ସହ କଥାବାର୍ତା କରି ପରିସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ । ଗୁଜୁରାଟର ରାଜକୋଟ ଏବଂ ଜାମନଗର ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା ଏବଂ ବନ୍ୟାରେ ଫସି ରହିଥିବା ୨୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଭୟ ଜିଲ୍ଲାରେ ସାତ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ ।
ଜାମନଗରରେ ଏକ ଜାତୀୟ ରାଜପଥ ବ୍ୟତୀତ ସୌରାଷ୍ଟ୍ରର ରାଜକୋଟ, ଜାମନଗର ଏବଂ ଜୁନାଗଡ଼ ଜିଳ୍ଲା ଦେଇ ଯାଉଥିବା ୧୮ଟି ରାଜ୍ୟ ରାଜପଥ ବନ୍ୟା ଯୋଗୁଁ ବନ୍ଦ ହୋଇଯାଇଥିଲା । ସେ କହିଛନ୍ତି ଯେ, ପ୍ରବଳ ବର୍ଷା ପରେ ରାସ୍ତାରୁ ଅନେକ ଗାଁର ସଂଯୋଗ ବିଚ୍ଛିନ୍ନ ହୋଇଛି । ରାଜକୋଟ ଜିଲ୍ଲାର ଜାମକଣ୍ଡେରନା ଏବଂ ଗୋଣ୍ଡଲକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋକ୍ଷ କରି ଫୋପଲ ନଦୀ ଉପରେ ଏକ ବ୍ରିଜ ଭୁଷୁଡ଼ି ପଡ଼ିଛି ବୋଲି ଅଧିକାରୀମାନେ କହିଛନ୍ତି । ରାଜକୋଟ ଏବଂ ଜାମନଗରରେ ରାତାରାତି ବର୍ଷା ହେବା ପରେ ମଙ୍ଗଳବାର ଦିନ ଉଭୟ ଜିଲ୍ଲାରେ ବର୍ଷା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଡ଼ୋଶୀ ଜୁନାଗଡ଼ ଜିଲ୍ଲାରେ ଦିନରେ ପ୍ରବଳ ବର୍ଷା ହୋଇଥିଲା ।