ଓଡ଼ିଶାରେ ବିଳମ୍ବରେ ପହଞ୍ଚିବ ମୌସୁମୀ ! ଏହା ରହିଛି କାରଣ
ଭୁବନେଶ୍ୱର : ଓଡ଼ିଶାରେ ମୌସୁମୀ ଆସିବାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ପହଞ୍ଚିବାରେ ବିଳମ୍ବ ହେବାର ସମ୍ଭାବନା ଅଛି । ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧୨ ତାରିଖରେ ରାଜ୍ୟକୁ ଛୁଇଁବ ନାହିଁ । ପୂର୍ବରୁ ଏହା ଆକଳନ କରଯାଇଥିଲେ ଯେ ଓଡ଼ିଶାରେ ମୌସୁମୀ ଜୁନ୍ ୧୨ ତାରିଖ ସୁଦ୍ଧା ଓଡ଼ିଶା ପହଞ୍ଚି ପାରେ । ଯଦିଓ ଆଇଏମଡି ଦ୍ୱାରା ଏପର୍ଯ୍ୟନ୍ତ ଏକ ବିସ୍ତୃତ ପୂର୍ବାନୁମାନ କରାଯାଇ ନାହିଁ । ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୧୨ ରୁ ୧୫ ତାରିଖ ମଧ୍ୟରେ ଓଡିଶାରେ ପହଞ୍ଚିଥାଏ ।
ଆରବ ସାଗର ନିକଟରେ ମୌସୁମୀର ଗତି ଦୁର୍ବଳ ହେବା ଯୋଗୁଁ ଦେଶର ବିଭିନ୍ନ ଭାଗରେ ଏହା ପହଞ୍ଚିବାକୁ ଆଉ କିଛି ଦିନ ଲାଗିପାରେ । ଅନ୍ୟପକ୍ଷରେ ପ୍ରବଳ ଗରମ ସମଗ୍ର ଦେଶର ଲୋକଙ୍କୁ ଅସୁବିଧା ପକାଇ ଦେଇଛି । ସମସ୍ତ ଆଖି ବର୍ତ୍ତମାନ ମୌସୁମୀର ଆଗମନ ଉପରେ ରହିଛି । ପାଣିପାଗ ବିଭାଗ ଅନୁସାରେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତର ଜଳବାୟୁରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ।
ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ତ୍ତମାନ ତାମିଲନାଡୁ, ପୁଡୁଚେରୀ, କରାଇକାଲ ଏବଂ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଭାଗରେ ଅଗ୍ରଗତି କରିଛି । ବର୍ତ୍ତମାନ, ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ମୌସୁମୀର ସ୍ଥିତି ଦୁର୍ବଳ ରହିବ । ଭାରତର ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ମଧ୍ୟ ମୌସୁମୀ ପହଞ୍ଚିବା ପରେ ଭଲ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ପାଗ ଅନୁକୂଳ ନ ଥିବାରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ମୌସୁମୀ ଓଡ଼ିଶା ପହଞ୍ଚିବାରେ ବାଧା ସୃଷ୍ଟି ହୋଇଛି । ଅନ୍ୟପଟେ, ପାଣିପାଗ ବିଭାଗ ଅନୁସାରେ ପୂର୍ବ ଝାଡ଼ଖଣ୍ଡ ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏହାକୁ ନେଇ ରାଜ୍ୟର ୧୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।