ବିରୋଧୀ-ଶାସକ ମୁହାଁମୁହିଁ ଯୋଗୁଁ ସ୍ୱାଭାବିକ ହୋଇପାରୁନି ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ : ଚଳିତ ମୌସୁମୀ ଅଧିବେଶନରେ ବିରୋଧୀ-ଶାସକ ମୁହାଁମୁହିଁ ଯୋଗୁଁ ସ୍ୱାଭାବିକ ହେବାର ନାଁ ନେଉନାହିଁ। ଅଧିବେଶନ ଆରମ୍ଭ ହେବା ଦିନ ଠାରୁ କେବଳ କେତୋଟି ବିଲ ପାସ ହେବା ବ୍ୟତୀତ ନା ହେଉଛି ଆଲୋଚନା କି ଆଉ କିଛି। ତେବେ ଗୃହ ବାହାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ନେତାମାନେ ବୟାନ ଦେବାରେ ଲାଗିଛନ୍ତି। ଆଜି ପେଗାସସ୍ ଗୁପ୍ତଚରଗିରି ପ୍ରସଙ୍ଗ, କୃଷି ଆଇନ୍ ଓ ଅନ୍ୟ କେତେକ ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିବାରୁ ସଂସଦର ଉଭୟ ସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଲୋକସଭାରେ ପ୍ରଥମ ମୁଲତବୀ ପରେ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଟି.ଏମ୍.ସି. ଓ ଡି.ଏମ୍.କେ. ସମେତ ବିରୋଧୀ ଦଳ ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ସ୍ଲୋଗାନ୍ ଦେଇ ବାଚସ୍ପତିଙ୍କ ଆସନ ନିକଟକୁ ପୁନର୍ବାର ଚାଲିଯାଇଥିଲେ। ପାଟିତୁଣ୍ଡ ମଧ୍ୟରେ ସଭାରେ ଟିକସ ଆଇନ୍ ସଂଶୋଧନ ବିଲ୍-୨୦୨୧ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୧ କୌଣସି ଆଲୋଚନା ବିନା ଗୃହିତ ହୋଇଥିଲା। ବିଲ୍ ଗୁଡ଼ିକ ଉପରେ ଆଲୋଚନା କରାଯାଇ ସେଗୁଡ଼ିକୁ ଗୃହିତ କରିବା ପ୍ରକ୍ରିୟା ଆରମ୍ଭ ହେବା ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ବିରୋଧୀ ଦଳଗୁଡ଼ିକ କୃଷକମାନଙ୍କ ପାଇଁ ନ୍ୟାୟ ମାଗୁଛନ୍ତି କିନ୍ତୁ ସରକାର ସେମାନଙ୍କ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହାର ଜବାବରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ବିରୋଧୀ ଦଳ ସଦସ୍ୟମାନେ ସାକାର ଏହା କରିବାକୁ ଦେଉନାହାନ୍ତି। ହଟ୍ଟଗୋଳ ଜାରି ରହିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା।
ପୂର୍ବରୁ ଲୋକସଭାରେ ଆଜିର କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ କଂଗ୍ରେସ, ଟି.ଏମ୍.ସି. ଓ ଡି.ଏମ୍.କେ.ର ସଦସ୍ୟମାନେ ସ୍ଲୋଗାନ୍ ଦେବା ଆରମ୍ଭ କରିଦେଇଥିଲେ। ପାଟିତୁଣ୍ଡ ଭିତରେ ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ସଭାକାର୍ଯ୍ୟ ଚାଲିବାକୁ ଦେବା ପାଇଁ ଅନୁରୋଧ କରିଥିଲେ, କିନ୍ତୁ ତାଙ୍କ କଥାପ୍ରତି କେହି କର୍ଣ୍ଣପାତ କରି ନ ଥିଲେ। ଏହାପରେ ସଭାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ସକାଳେ ସଭାର ସମସ୍ତ ସଦସ୍ୟ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟୀ ହୋଇଥିବା କୁସ୍ତି ପ୍ରତିଯୋଗୀ ରବି କୁମାର ଦହିଆଙ୍କୁ ଅଭିନନ୍ଦନ ଜଣାଇ ଦେଶ ତାଙ୍କ ପାଇଁ ଗୌରବାନ୍ୱିତ ହୋଇଥିବାର କହିଥିଲେ। ହିରୋଶିମା ଓ ନାଗାସାକି ଦିବସ ଅବସରରେ ବାଚସ୍ପତି ସେତେବେଳେ ଏଥିଯୋଗୁଁ ଘଟିଥିବା କ୍ଷୟକ୍ଷତିର ଭୟାବହତା ବିଷୟରେ ଉଲ୍ଲେଖ କରି ବିଶ୍ୱରେ ଶାନ୍ତି, ସ୍ଥିରତା ଓ ଭ୍ରାତୃଭାବର ସ୍ଥାପନ ପ୍ରତି ଗୁରୁତ୍ୱାରୋପ କରିଥିଲେ। ଅନ୍ୟ ପକ୍ଷରେ ରାଜ୍ୟସଭାରେ ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ ୧୨ଟା ସମୟରେ ପୁନର୍ବାର ସଭାକାର୍ଯ୍ୟ ଆରମ୍ଭ ହେବା ବେଳେ କଂଗ୍ରେସ, ଟି.ଏମ୍.ସି, ଡି.ଏମ୍.କେ. ଓ ବାମପନ୍ଥୀ ଦଳର ସଦସ୍ୟମାନେ ପେଗାସସ୍ ଗୁପ୍ତଚରଗିରି ପ୍ରସଙ୍ଗ ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିବା ପାଇଁ ଦାବି କରି ଅଧ୍ୟକ୍ଷଙ୍କ ଆସନ ନିକଟକୁ ଚାଲିଯାଇଥିଲେ। ପାଟିତୁଣ୍ଡ ମଧ୍ୟରେ ଉପାଧ୍ୟକ୍ଷ ହରିବଂଶ ସଭାକାର୍ଯ୍ୟ ଚଳାଇବାକୁ ପ୍ରୟାସ କରିଥିଲେ ହେଁ ଏଥିରେ ସଫଳ ହୋଇପାରିନଥିଲା ବେଳେ ଓ ସଭାକୁ ଦିନ ପାଇଁ ମୁଲତବୀ ରଖାଯାଇଥିଲା।