୬୮ ଦେଶକୁ ବ୍ୟାପିଲାଣି ମଙ୍କିପକ୍ସ, ଜାଣନ୍ତୁ ଏହା କିପରି ବ୍ୟାପେ ?
ଗ୍ଲୋବାଲ ହେଲଥ ଏମର୍ଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ନୂଆଦିଲ୍ଲୀ : ମଙ୍କିପକ୍ସକୁ ଗ୍ଲୋବାଲ ପବ୍ଲିକ୍ ହେଲଥ ଏମରଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ମଙ୍କିପକ୍ସ ଏବେ ବିଶ୍ୱ ଓ ଆଞ୍ଚଳିକ ସ୍ତରରେ ବ୍ୟାପୁଥିବା ଦେଖାଯାଉଛି । ୟୁରୋପୀୟ ଦେଶରେ ଏହାର ମାତ୍ରା ଅଧିକ ଦେଖିବାକୁ ମିଳୁଛି । ତେଣୁ ସାମୁହିକ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସଙ୍ଗଠନ ପକ୍ଷରୁ ଏମରଜେନ୍ସି ଜାରି କରାଯାଇଥିବା ନେଇ ହୁ ମୁଖ୍ୟ ଟେଡ୍ରୋସ୍ ଘେବ୍ରୟସସ୍ କହିଛନ୍ତି ।
ତଥ୍ୟ ମୁତାବକ, ମାସକ ପୂର୍ବରୁ ୪୭ ଦେଶରେ ମଙ୍କିପକ୍ସର ୩୦୪୦ଟି ମାମଲା ଥିଲା । ମାତ୍ର ଏବେ ଏହା ୬୮ ଦେଶକୁ ବ୍ୟାପିଲାଣି ।
ବିଶ୍ୱର ୫ଟି ଦେଶରେ ଏହାର ସବୁଠୁ ଅଧିକ ପ୍ରଭାବ ଦେକାଦେଇଛି । ସ୍ପେନରେ ସର୍ବାଧିକ ୩୧୨୫ ଲୋକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହାପରେ ଆମେରିକାରେ ୨୮୯୦, ଜର୍ମାନୀରେ ୨୨୬୮ ଓ ବ୍ରିଟେନରେ ୨୨୦୮ ଓ ଫ୍ରାନ୍ସରେ ୧୫୬୭ ମଙ୍କିପକ୍ସ କେସ୍ ସାମନାକୁ ଆସିଛି ।
ସୂଚନା ଯେ, ମଙ୍କିପକ୍ସ ଏକ ଭାଇରାଲ୍ ଭୂତାଣୁ, ଯାହା ମୂଷା ଓ ବିଶେଷକରି ମାଙ୍କଡମାନଙ୍କ ଦ୍ୱାର ମନୁଷ୍ୟକୁ ସଂକ୍ରମିତ ହୋଇଥାଏ । ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତ ମାମଲା ପୁରୁଷ ଓ ପୁରୁଷ ମଧ୍ୟରେ ଯୌନ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିଛି । ଏବଂ ୮୦ ପ୍ରତିଶତ ମାମଲା ୟୁରୋପ, ପରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଛି । ମଙ୍କିପକ୍ସ ମୂଳରୂପରେ ଅତି ନିବିଡ ଭାବେ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ମାଧ୍ୟମରେ ବ୍ୟାପିଥାଏ । ବର୍ତ୍ତମାନ ମଙ୍କିପକ୍ସର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଚିକେନ୍ ପକ୍ସ ଟିକା ଏଥିପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ, କାରଣ ଏହା ମଙ୍କିପକ୍ସକୁ ରୋକିପାରିବ ଏବଂ ମଙ୍କିପକ୍ସର ଚିକିତ୍ସା ପାଇଁ ଚିକିତ୍ସାତ୍ମକ ଏଜେଂଟ ଭାବେ କାର୍ଯ୍ୟ କରିପାରେ । ଏହାକୁ ରୋକିବା ପାଇଁ ଆମକୁ ସବୁ ସର୍ତକତା ଅବଲମ୍ବନ କରିବାକୁ ପଡ଼ିବ ଏବଂ ମଙ୍କିପକ୍ସରେ ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ନଆସିବା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ସମସ୍ତ ଜିନିଷ ଠାରୁ ଦୂରେଇ ରହି ମଙ୍କିପକ୍ସକୁ ରୋକାଯାଇପାରିବ । ମଙ୍କିପକ୍ସର ଲକ୍ଷଣ ଗୁଡ଼ିକ ଲୋକଙ୍କ ଠାରେ ଦେଖାଯାଉଥିବା ଚିକେନ୍ ପକ୍ସ ସହ ସମାନ । ଏହାର ପ୍ରାଥମିକ ଲକ୍ଷଣରେ ପୂରା ଶରୀରରେ ନାଲି ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହାଛଡ଼ା ନିମୋନିଆ, ଥଣ୍ଡା, ଜ୍ୱର, ଶରୀରରେ ଯନ୍ତ୍ରଣା, ଅବସାଦ, ମୁଣ୍ଡବ୍ୟଥା, ବାନ୍ତି, ପେଟବ୍ୟଥା ଓ ଝାଡ଼ା ଆଦି ଲକ୍ଷଣ ମଧ୍ୟ ଦେଖା ଦେଇଥାଏ ।