ଧରାପଡିଲେ ୨ ହତ୍ୟାକାରୀ ମାଙ୍କଡ, ନାଗପୁର ଅରଣ୍ୟରେ ଛଡ଼ା ହେବେ
ପ୍ରତିଶୋଧ ପରାୟଣ ହୋଇ ୨୫୦ କୁକୁର ଛୁଆଙ୍କୁ ହତ୍ୟା କରିଥିଲେ
ମୁମ୍ବାଇ: ମହାରାଷ୍ଟ୍ରରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ଯାହା ଜାଣିଲେ ଆପଣ ମଧ୍ୟ ଚମକି ପଡିବେ। ମନୁଷ୍ୟ ମନୁଷ୍ୟକୁ ହତ୍ୟା କରିବା ବା ମନୁଷ୍ୟ ପଶୁକୁ ହିଂସା ପରାୟଣ ହୋଇ ହତ୍ୟା କରିଥିବା ଘଟଣା ଆପଣ ଶୁଣିଥିବେ । ହେଲେ ଏବେ ପଶୁବି ପ୍ରତିଶୋଧ ପରାୟଣ ହୋଇ ପଶୁକୁ ହତ୍ୟା କରିଛି । ମାଙ୍କଡମାନଙ୍କର ଏକ ଗୋଷ୍ଠୀ ପ୍ରାୟ ୨୫୦ କୁକୁର ଛୁଆଙ୍କୁ ହତ୍ୟା କରିଛନ୍ତି । ଫଳରେ ୨ ମାଙ୍କଡ ହତ୍ୟାକାରୀଙ୍କୁ କାବୁ କରିଛି ବନବିଭାଗ । ଧରା ପଡ଼ିଥିବା ହନୁମାଙ୍କଡ଼ ଦୁଇଟାଙ୍କୁ ନାଗପୁର ସ୍ଥାନାନ୍ତର କରାଯାଇ ନିକଟସ୍ଥ ଅରଣ୍ୟରେ ଛାଡ଼ି ଦିଆଯିବ।
ସୂଚନା ଯେ, ଗତ ୩ ମାସ ହେବ ହନୁମାଙ୍କଡ଼ମାନେ ମହାରାଷ୍ଟ୍ରର ବୀଡ୍ ଜିଲ୍ଲା ଅନ୍ତର୍ଗତ ମଜାଲଗାଓଁ ଅଞ୍ଚଳରେ ପ୍ରାୟ ୮୦ ସରିକି କୁକୁରଛୁଆଙ୍କୁ ଗଛ ଅଗରୁ କିଂବା ଉଚ୍ଚ କୋଠାଘରୁ ତଳକୁ ପକାଇ ମାରି ପକାଇଛନ୍ତି ବୋଲି ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ କହୁଛନ୍ତି। ମଜାଲଗାଓଁ ଅନ୍ତର୍ଗତ ଲାବୁଲ୍ ଗାଁ କୁକୁରଛୁଆଶୂନ୍ୟ ହୋଇଯିବାରୁ ଗ୍ରାମବାସୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗୋଟାଏ ହନୁ ମାଙ୍କଡ଼ଛୁଆକୁ ଦଳେ ବୁଲା କୁକୁର ଝୁଣି ମାରିପକାଇବାରୁ ଲାବୁଲ୍ ଗାଁରେ ହନୁମାଙ୍କଡ଼ ଏବଂ କୁକୁରମାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା। ଏମିତିରେ ତ କୁକୁର ଓ ମାଙ୍କଡ଼ ସହଜାତ ଶତ୍ରୁ। ପୁଣି ଛୁଆ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ହନୁମାଙ୍କଡ଼ମାନେ କୁକୁରମାନଙ୍କ ଉପରେ ଅହନ୍ତା ରଖିଲେ ଓ ସୁଯୋଗ ଉଣ୍ଡି କୁକୁରଛୁଆଙ୍କୁ ଉଠାଇ ନେଇ ଗଛ ଅଗ କିଂବା ଉଚ୍ଚ କୋଠାଘରୁ ତଳକୁ ପକାଇ ମାରିଲେ। ଏଥିରେ ବାଧା ଦେଉଥିବା ଲୋକମାନଙ୍କୁ ମଧ୍ୟ ହନୁମାଙ୍କଡ଼ମାନେ ଆକ୍ରମଣ କରି ଖଣ୍ଡିଆଖାବରା କରିପକାଇଲେ। ସ୍କୁଲ୍ ପିଲାମାନେ ମଧ୍ୟ ହନୁମାଙ୍କଡ଼ଙ୍କ ଠାରୁ ନିସ୍ତାର ପାଉ ନ ଥିଲେ।