ପରଲୋକରେ ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ
ଭୁବନେଶ୍ୱର: ପରଲୋକରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ତାଙ୍କର ମୃତ୍ୟୁରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି ।
ଗତ କିଛି ଦିନ ହେଲା ବିଷ୍ଣ ସେଠୀ କିଡନୀ ରୋଗରେ ପୀଡିତ ଥିଲେ। ଏହାପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାସେ ହେଲା ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ସୋମବାର ସକାଳେ ଧାମନଗର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ହୋଇଥିବା ଏମ୍ସ ଆଡିସନାଲ ସୁପରିଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ବିଧାୟକ କିଡନୀ ରୋଗରେ ପୀଡ଼ିତ ହୋଇ ଏମ୍ସର ଆସିୟୁରେ ଚିକିତ୍ସିତ ହୋଉଥିଲେ। ବିଷ୍ଣୁ ସେଠୀଙ୍କ ଦେହାନ୍ତ ଖବର ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳାଇ ଦେଇଛି। ସେ କେବଳ ବିଧାୟକ ନଥିଲେ, ସେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ଉପ ନେତା ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ।
ବିଷ୍ଣୁ ସେଠୀ ବିଜେପିର ଜଣେ ଦକ୍ଷ ନେତା ଭାବେ ବେଶ୍ ଜଣାଶୁଣା। ପିଲାଦିନୁ ରାଜନୀତି ପ୍ରତି ବିଷ୍ଣୁ ସେଠୀଙ୍କ ବେଶ୍ ଆଗ୍ରହ ଥିଲା। ୨୦୦୦ ମସିହାରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଷ୍ଣୁ ସେଠୀ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ସରକାର ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ। ଏହାପରେ ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ବିଷ୍ଣୁ ସେଠୀ, ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ହରାଇ ଦ୍ୱିତୀୟ ଥର ପାଇଁ ବିଧାନସଭା ଯାଇଥିଲେ।
ବିଷ୍ଣୁ ଚରଣ ସେଠୀ ୧୯୬୧ ମସିହା ଜୁନ ୫ ତାରିଖରେ ଭଦ୍ରକ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଗୟାଧର ସେଠୀ। ସେ ଉର୍ମିଳାରାଣୀ ପାଣିଗ୍ରାହୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଅଛି। ପିଲାଟି ବେଳରୁ ରାଜନୀତି ପ୍ରତି ବିଷ୍ଣୁ ସେଠୀଙ୍କର ପ୍ରବଳ ଆଗ୍ରହ ଥିଲା। ସେ ଜଣେ ରାଜନୀତିଜ୍ଞ ହେବା ସହ ଜଣେ ଓଡ଼ିଆ ସାହିତ୍ୟିକ ଭାବେ ବେଶ ଜଣାଶୁଣା। ରାଜନୀତିକୁ ଆସିବା ପୂର୍ବରୁ ସେ ଶିକ୍ଷାକତା କରୁଥିଲେ। ଦିଲ୍ଲୀ ଜେଏନୟୁର ପୂର୍ବତନ ଛାତ୍ର ବିଷ୍ଣୁ ସେଠୀ ଦୁଇ ଥର ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।