ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ଜୟନ୍ତୀ ପାଳିତଞ୍ଚ
ଝାରସୁଗୁଡ଼ା : ଲୈାକିକ ବ୍ୟବହାରରେ ସାଧୁତା, ଯଥାର୍ଥ କର୍ମସାଧନା, କର୍ତ୍ତବ୍ୟନିଷ୍ଠା ଓ ମାନବତାର ଯୁଗପୁରୁଷ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଉପଲବ୍ଧ ସତ୍ୟକୁ ପ୍ରତିପାଦିତ କରିବା ସହ ଅପୌତ୍ତଳିକତା ଓ ନିଚ୍ଛକ ବୈଦିକ ସତ୍ୟର ଆଲୋଚନା ପାଇଁ ଆର୍ଯ୍ୟ ସମାଜ ସ୍ଥାପନ କରିଥିଲେ । ଆର୍ଯ୍ୟ ସମାଜ ଜରିଆରେ ଶିକ୍ଷାର ପ୍ରସାର କରାଇ ନାରୀକୁ ପୁରୁଷ ସହ ସମାନ ଅଧିକାର ଦେବାର ଯୁକ୍ତି ମଧ୍ୟ ସେ ଦର୍ଶାଇଥିଲେ । ବୈଦିକ ଆନ୍ଦୋଳନର କର୍ଣ୍ଣଧାର ତଥା ଆର୍ଯ୍ୟ ସମାଜର ପ୍ରାଣ ପ୍ରତିଷ୍ଠାତା, ଲେଖକ, ସମାଜ ସଂସ୍କାରକ ସ୍ୱାମୀ ଦୟାନନ୍ଦଙ୍କ ୨୦୦ ତମ ଜନ୍ମ ଜୟନ୍ତୀ ଡିଏଭି ପବ୍ଲିକ ସ୍କୁଲ ପରିସରରେ ପାଳିତ ହୋଇଯାଇଛି ଏବଂ ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ସ୍ୱାମୀ ଦୟାନନ୍ଦଙ୍କ ପ୍ରତିମାରେ ମାଲ୍ୟାର୍ପଣପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ୱାଗତଭାଷଣରେ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଆର୍ଯ୍ୟ ସମାଜର ନୀତିନିୟମଗୁଡ଼ିକୁ ଜୀବନରେ ଆପଣେଇବା ଲାଗି ଆହ୍ୱାନ କରିଥିଲେ । ଶିକ୍ଷୟିତ୍ରୀ ଡ. ମଞ୍ଜୁଶ୍ରୀ ବେଦୁଲା ଓ ଶିକ୍ଷକ ବିଶ୍ୱ ରଞ୍ଜନ ପାଢ଼ୀ ସ୍ୱାମୀ ଦୟାନନ୍ଦଙ୍କ ଜୀବନ ଇତିହାସ ବିଷୟରେ ଗବେଷଣାତ୍ମକ ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ହର୍ଷିତ ଶାସ୍ତ୍ରୀ ଆର୍ଯ୍ୟ ସମାଜର ନିୟମାବଳୀ ପାଠ କରିଥିବାବେଳେ ଅନୁରାଗ ଝା ସ୍ୱାମୀ ଦୟାନନ୍ଦଙ୍କ ଜୀବନୀ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ । ଏହି ଶୁଭ ଅବସରରେ \’ଏକ୍ସପେରିଏନ୍ସ ଜାପାନ\’ ଦ୍ୱାରା ଆୟୋଜିତ ଜାପାନ ଅନ କାନଭାସ ୨୦୨୨ ରେ ସଫଳତା ହାସଲ କରିଥିବା ଛାତ୍ରୀ ସିଦ୍ଧି ମହାପାତ୍ର ଓ ଛାତ୍ର ହେମନ୍ତ କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।