ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ ନଜର : ଡିଏମଇଟି
ଭୁବନେଶ୍ୱର : ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ କଡ଼ା ନଜର ରଖିଛି । ସେଠାରୁ ଆସୁଥିବା ଲୋକଙ୍କ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିଛନ୍ତି । ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ଓ ନୂଆ ମ୍ୟୁଟାଂଟ ଦେଖାଦେଇଛି । ଏହି ଦୁଇ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡ଼ି, ଆଶା ଦିଦି ଓ ସର୍ଭେଲାନ୍ସ କରୁଥିବା ଟିମଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିଏମ୍ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । କେବଳ ରାଜ୍ୟ ସରକାର ନୁହନ୍ତି, କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେବାକୁ ସେ ମତ ରଖିଛନ୍ତି ।
ସୂଚନା ଯେ, ରାଜ୍ୟରେ କରୋନା ଟେଷ୍ଟ ପଜିଟିଭ୍ ରେଟ୍ ୪ପ୍ରତିଶତ ତଳକୁ ଖସିଥିଲେ ମଧ୍ୟ ଉପକୂଳବର୍ତୀ ଜିଲ୍ଲା ଏବଂ ଉତର ଓଡ଼ିଶାର ସ୍ଥିତି ଏବେବି ଉଦ୍ବେଗ ଜନକ ରହିଛି । କଟକର ସଂକ୍ରମିତ ହାର ସର୍ବାଧିକ ୭.୯ପ୍ରତିଶତ ରହିଛି । ଯାଜପୁର ଜିଲ୍ଲାର ସଂକ୍ରମଣ ହାର ୭.୨ ପ୍ରତିଶତ ଉପରେ ରହିଛି । ନୟାଗଡ ଏବଂ ବାଲେଶ୍ୱରରେ ସଂକ୍ରମଣ ହାର ୫ପ୍ରତିଶତ ଉପରେ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୪.୯ ପ୍ରତିଶତ ସଂକ୍ରମଣହାର ରହିଛି । ମୟୂରଭଞ୍ଜ ଜିଲ୍ଲା ଚିନ୍ତା ବଢ଼ାଉଥିବା ବେଳେ ଶୁକ୍ରବାର ଦିନ ୫ପ୍ରତିଶତ ତଳକୁ ଖସିଛି ଟେଷ୍ଟପଜିଟିଭିଟି ହାର । ଓଡ଼ିଶାରେ ଏବେ ୩.୫୭ ପ୍ରତିଶତ ଟେଷ୍ଟ ପଜିଟିଭିଟି ରହିଥିବା ବେଳେ କଟକରେ ୭.୯ ପ୍ରତିଶତ, ଯାଜପୁର ୭.୭ ପ୍ରତିଶତ, ନୟାଗଡ ୫.୬ ପ୍ରତିଶତ, ବାଲେଶ୍ୱର ୫.୨ ପ୍ରତିଶତ, ଖୋର୍ଦ୍ଧା ୪.୮ ପ୍ରତିଶତ, ମୟୂରଭଞ୍ଜ ୪.୭ ପ୍ରତିଶତ ଏବଂ ଜଗତସିଂହପୁର ୪.୭ପ୍ରତିଶତ ରହିଛି । ସେହିପରି ନୂଆପଡ଼ାରେ ମଧ୍ୟ ପଜିଟିଭିଟି ହାର ଏବେ ଉପରମୁହାଁ ହୋଇଛି । କରୋନା ସଂକ୍ରମଣ ହାର ମାନଚିତ୍ରରେ କଟକ ଓ ଯଜାପୁର ରେଡ୍ଜୋନ୍, ନୟାଗଡ ଓ ବାଲେଶ୍ୱର ୟେଲୋ ଜୋନ୍ରେ ରହିଛି । ୪ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ୫ପ୍ରତିଶତ ତଳେ ରହିଥିବା ବେଳେ ସେଗୁଡିକୁ ଗ୍ରୀନ୍ ଜୋନ୍ ମଧ୍ୟରେ ରଖାଯାଇଛି ।