ମେଟ୍ରୋ ପରି ଏବେ ଟ୍ରେନରେ ମହିଳାଙ୍କୁ ମିଳିବ ରିଜର୍ଭ ବର୍ଥ
ନୂଆଦିଲ୍ଲୀ : ମହିଳାମାନଙ୍କ ପାଇଁ ଭାରତୀୟ ରେଳ ବିଭାଗର ବଡ଼ ପଦକ୍ଷେପ । ଏବେ ଟ୍ରେନ ଆସୁଥିବା ମହିଳାମାନଙ୍କୁ ସିଟ ପାଇଁ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ । ଯେଉଁଭଳି ବସ ଏବଂ ମେଟ୍ରୋରେ ମହିଳାମାନଙ୍କ ପାଇଁ ସିଟ ସଂରକ୍ଷଣ ରହିଥାଏ ସେହିଭଳି ଏବେ ଭାରତୀୟ ରେଳବାଇ ମଧ୍ୟ ମହିଳାମାନଙ୍କ ପାଇଁ ସିଟ ସଂରକ୍ଷଣ କରିବ ।
ତେବେ ଟ୍ରେନରେ ଦୂର ଯାତ୍ରା କରୁଥିବା ମହିଳାମାନଙ୍କ ଆରାମ ଦାୟକ ଯାତ୍ରା ପାଇଁ ସିଟ ସଂରକ୍ଷିତ କରାଯିବା ସହ ଅନେକ ସୁବିଧା ଉପଲବ୍ଧ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ସେ କହିଛନ୍ତି ଯେ, ମେଲ ଓ ଏକ୍ସପ୍ରେସ ଟ୍ରେନର ସ୍ଲିପର କ୍ଲାସରେ ୬ଟି ବର୍ଥ ସଂରକ୍ଷିତ ରହିବ । ଗରୀବ ରଥ, ରାଜଧାନୀ, ଦୂରନ୍ତ ସମେତ ସମସ୍ତ ଶୀତ ତାପ ନିୟନ୍ତ୍ରଣ ଏକ୍ସପ୍ରେସରେ ୩ ଟାୟାର ଏସି କୋଚରେ ବି ୬ ଟି ବର୍ଥ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ ।
ପ୍ରତି ଏସି ସ୍ଲିପର କୋଚରେ ୬ ରୁ ୭ ଟି ଲୋୟର ବର୍ଥ, ସମସ୍ତ ୩ ଟାୟାର ଏସି କୋଚରେ ୪ ରୁ ୫ ଟି ଲୋୟର ବର୍ଥ ଓ ୨ଟାୟାର ଏସି କୋଚରେ ୩ ରୁ ୪ଟି ଲୋୟର ବର୍ଥ ୪୫ ବର୍ଷରୁ ଅଧିକ, ଗର୍ଭବତୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଟ୍ରେନରେ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି । ଏହା ସହିତ ଟ୍ରେନ ଏବଂ ଷ୍ଟେସନରେ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ଜିଆରପି ସହାୟତାରେ ରେଳବାଇ ଦ୍ବାରା ପଦକ୍ଷେପ ନିଆଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ରେଳବାଇ ସୁରକ୍ଷା ବାହିନୀ ଗତ ବର୍ଷ ଟ୍ରେନ ଯୋଗେ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ‘ମେରୀ ସହେଲୀ’ ନାମକ ଏକ ଯୋଜନା କରିଥିଲା ।