ଲେମ୍ବୁ, ବିଲାତି ପରେ ଆଳୁ ଚିନ୍ତା ! ହୁ ହୁ ହୋଇ ବଢୁଛି ଦାମ୍, ଖାଉଟି ବିଭାଗର ନାହିଁ ନିଘା
ବାଲେଶ୍ୱର : ମହଙ୍ଗା ମାଡ଼ରେ ସାଧାରଣ ଲୋକ ହନ୍ତସନ୍ତ ହେଲେଣି । କେତେବେଳେ ତେଲ ଦର ତ, କେତେବେଳେ ଘରୋଇ ଗ୍ୟାସ, ପୁଣି କେତେବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ମଧ୍ୟରେ ଲେମ୍ବୁ, ବିଲାତି ଦର ବଢୁଥିବା ବେଳେ ହୁ ହୁ ହୋଇ ବଢି ଚାଲିଛି ଆଳୁ ଦର। ଅମଳ ବେଳୁ ଆଳୁର ଦାମ୍ ବୃଦ୍ଧି ଘଟି ଚାଲିଛି । ସପ୍ତାହ ପୂର୍ବରୁ ଆଳୁର କେଜି ପ୍ରତି ଦାମ୍ ୨୦ ଟଙ୍କା ଥିବାବେଳେ ଏବେ ଆଳୁ ଦର ଦାମ୍ ୩୦ଟଙ୍କାକୁ ବୃଦ୍ଧି ଘଟିଛି । ସପ୍ତାହକୁ ଆଳୁର ମୂଲ୍ୟ ବୃଦ୍ଧି ଘଟୁଥିବାରୁ ଖାଉଟିଙ୍କୁ ଚିନ୍ତା ଘାରିଛି ।
ଓଡ଼ିଶାର ଖାଉଟିମାନଙ୍କ ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟସରକାର ୨୦୧୪ ମସିହାରୁ ଆଳୁ ମିଶନ ଗଠନ କରିଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହିଛି । ଆଳୁର ଚାହିଦା ମେଣ୍ଟାଇବା ପାଇଁ ପଶ୍ଚିମବଙ୍ଗ ସହ ଭିନ୍ନ ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଛି । ଚଳିତବର୍ଷ ଆଳୁ ଅମଳ ସମୟରେ ବ୍ୟାପକ ବର୍ଷା ଲାଗି ରହିବାରୁ ଆଳୁଚାଷୀାମାନେ ଆଶାନୁଜନକ ଆଳୁ ଉତ୍ପାଦନ କରି ନପାରି ବିପୁଳ କ୍ଷତି କରିଛନ୍ତି । ପଶ୍ଚିମବଙ୍ଗରୁ ଦୈନିକ ଓଡ଼ିଶାକୁ ଆସୁଥିବା ଆଳୁର ପରିମାଣ କମ୍ ଥିବାରୁ ଆଳୁର ମୂଲ୍ୟ ବୃଦ୍ଧି ଘଟୁଛି ବୋଲି ଓଡ଼ିଶା ଆଳୁ ବ୍ୟବସାୟୀମାନେ ମତପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗରେ ଅନ୍ୟୁନ ୪୫୩ଟି ଶୀତଳ ଭଣ୍ଡାରରେ ଆଳୁ ଗଚ୍ଛିତ ଥିବାବେଳେ ଏହି ଆଳୁ ବ୍ୟବସାୟୀମାନେ ବଜାରରେ କୃତ୍ରିମ ଅଭାବ ଦେଖାଇ ଓଡ଼ିଶାକୁ ଚଢ଼ା ଦାମ୍ରେ ବିକ୍ରି କରୁଥିବାର ଅଭିଯୋଗ ହୋଇଛି ।
ଅପରପକ୍ଷରେ ଅନୁରୂପ ଭାବେ ପଶ୍ଚିମବଙ୍ଗରେ ଆଳୁର ଦାମ୍ ବଢୁଥିବାରୁ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ନବାନ୍ନରେ ତାଙ୍କ ମନ୍ତ୍ରୀମଣ୍ଡଳର କୃଷି ଓ ଖାଉଟି ବିଭାଗର ମନ୍ତ୍ରୀ ସହିତ ବରିଷ୍ଠ ମନ୍ତ୍ରୀଙ୍କୁ ଡାକି ଆଳୁର ବଜାର ମୂଲ୍ୟ ନିର୍ଦ୍ଧାରଣ କରିବା ସହିତ ସମସ୍ତ ହିମ ଘର (ଶୀତଳଭଣ୍ଡାର)ରେ ଥିବା ଗଚ୍ଛିତ ଆଳୁକୁ ବାହାରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଇନ୍ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରିଛନ୍ତି । ଆଳୁର ଅଭାବ ହେଲେ ପଞ୍ଜାବରୁ ଆଳୁ ଆମଦାନୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଭଳି ସ୍ଥିତିରେ ପଡ଼ୋଶୀ ରାଜ୍ୟରେ ଆଳୁର ବଜାର ନିୟନ୍ତ୍ରଣ ପାଇଁ ସେଠାକାର ସରକାର ଅଣ୍ଟା ଭିଡ଼ି ଥିବାବେଳେ ଆମ ସରକାରର କୃଷି ଓ ଖାଉଟି ବିଭାଗ ଚେଇଁ ଶୋଇଛନ୍ତି ବୋଲି ଆଳୁ ବ୍ୟବସାୟୀ ଓ ଖାଉଟିମାନେ ମତପ୍ରକାଶ କରିଛନ୍ତି ।