ବାଟବାଟୀରେ ଆଜି ଲିଜେଣ୍ଡ୍ସ ଲିଗ କ୍ରିକେଟ, ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ-ଭିଲୱାରା କିଙ୍ଗସ
କଟକ : ବାରବାଟୀ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍ । ଅନେକ ଜାତୀୟ ଅନ୍ତର୍ଜାତୀୟ କ୍ରିକେଟର ସାକ୍ଷୀ ହୋଇଥିବା ବାରବାଟୀରେ ପ୍ରଥମ ଥର ପାଇଁ ଲିଜେଣ୍ଡ୍ସ କ୍ରିକେଟ ଲିଗ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଦିନରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗସ ମଧ୍ୟରେ ମୁକାବିଲା ହେବ ଅର୍ଥାତ୍ ମଣିପାଲ ଟାଇଗର୍ସ ବନାମ ଭିଲୱାରା କିଙ୍ଗସ ପରସ୍ପରକୁ ଭେଟିବେ । ସନ୍ଧ୍ୟା ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବ ।
ଭିଲୱାରା କିଙ୍ଗସରେ ପଠାନ ବ୍ରଦର୍ସ ଇରଫାନ ଓ ୟୁସୁଫ ରହିଥିବାବେଳେ ମଣିପାଲ ଟାଇଗର୍ସର ମଙ୍ଗ ଧରିଛନ୍ତି ହରଭଜନ ସିଂହ । ଏହାଛଡା ଭିଲୱାରା କିଙ୍ଗସରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ ୱାଟସନ, ଆୟର୍ଲାଣ୍ଡର ପୂର୍ବତନ ଅଧିନାୟକ ୱିଲିୟମ ପୋର୍ଟରଫିଲ୍ଡ, ୱେଷ୍ଟଇଣ୍ଡିଜ ପେସ ବୋଲର ଟିନୋ ବେଷ୍ଟ, ଇଂଲଣ୍ଡ ଦଳର ଏକାଧିକ ପୂର୍ବତନ ଖେଳାଳି ଟିମ, ବ୍ରେସନାନ, ସମିତ ପଟେଲ, ମଣ୍ଟି ପାନେସର, ମ୍ୟାଟ ପ୍ରାୟରସ ଓୱେସ ସାହା ପ୍ରମୁଖ ରହିଛନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ନମନ ଓଝା ଓ ପେସ ବୋଲର ଏସ ଶ୍ରୀସନ୍ଥ ମଧ୍ୟ ଏହି ଟିମରେ ରହିଛନ୍ତି । ସଡକ ସୁରକ୍ଷା ବିଶ୍ବ ସିରିଜ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳି ୟୁସୁଫ ପଠାନ ଏଲଏଲସିରେ ଏ ଯାଏଁ ସେଭଳି ପ୍ରଦର୍ଶନ କରିନାହାନ୍ତି । ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ସେହିପରି ମଣିପାଲ ଟାଇଗର୍ସ ଦଳରେ ଅଧିନାୟକ ଭାର ସମ୍ଭାଳିଛନ୍ତି ହରଭଜନ ସିଂ । ଏହି ଦଳରେ ଆଣ୍ଡରସନ, ଇମ୍ରାନ ତାହିର, ଲାନ୍ସ କ୍ଲୁଜନର, ବ୍ରେଟ ଲି, ଡାରେନ ସାମି, ଡିମିତ୍ରି ମାସ୍କେରାନ୍ସ, ରିଆନ ସାଇଡବଟମଙ୍କ ଭଳି ବିଦେଶୀ ଖେଳାଳି ରହିଛନ୍ତି । ମହମ୍ମଦ କୈଫ, ପରବିନ୍ଦର ଆୱାନ ପ୍ରମୁଖ ଏହି ଟିମରେ ସାମିଲ ଅଛନ୍ତି । ବିଶେଷ କରି ଭାରତୀୟ ଦଳର ଦୁଇ ପୂର୍ବତନ ବୋଲର ଇରଫାନ ପଠାନ ଓ ହରଭଜନଙ୍କ ନେତୃତ୍ବଧୀନ ଦୁଇ ଟିମ ପରସ୍ପରକୁ ଭେଟିବେ ।
ବାରବାଟୀରେ ମୋଟ ୩ଟି ମ୍ୟାଚ ଖେଳାଯିବ । ଗତକାଲିଠୁ (ରବିବାର) ଦୁଇ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ଗ୍ୟାଲେରୀ, ଲାଇଟ, ପ୍ରେସ ବକ୍ସ, କ୍ଳବ ହାଉସ ସବୁ ଦିଗରେ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ମ୍ୟାଚର ସୁରକ୍ଷା ଦିଗକୁ ଦୃଷ୍ଟିର ରଖି କଟକ କମିଶନରେଟ ପୁଲିସ ପକ୍ଷରୁ ୪୦ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପାଖାପାଖି ୧୦ ହଜାର ଦର୍ଶକ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି । ଅନ୍ୟ ଦୁଇଟି ମ୍ୟାଚ ୨୭ ଓ ୨୯ ତାରିଖରେ ଖେଳାଯିବ । ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଏବଂ ଭିଲୱାରା କିଙ୍ଗ୍ସ ଓ ୨୯ରେ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ମଣିପାଲ ଟାଇଗର୍ସ ମଧ୍ୟରେ ଟକ୍କର ହେବ ।