ଲଖିମପୁର ଖେରୀ ହିଂସା ମାମଲା ; ଆଜି ସୁପ୍ରିମକୋର୍ଟରେ ଆଶିଷଙ୍କ ଜାମିନ ଆବେଦନର ଶୁଣାଣି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସା ମାମଲା । ଆଜି ସୁପ୍ରିମକୋର୍ଟରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ଶୁଣାଣି । ଅଭିଯୁକ୍ତ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।
ଏହାପୂର୍ବରୁ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ କରି ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ, ”ଲଖିମପୁର ହିଂସାରେ ୪ ଜଣ କୃଷକ ପ୍ରାଣ ହରାଇଥିଲେ । ଅଭିଯୁକ୍ତ ଆଶିଷଙ୍କ ଗାଡି ସେଠାରେ ରହିଥିଲା । ଏହା ହିଁ ସବୁଠୁ ବଡ ପ୍ରମାଣ । ଏହି ମାମଲା ଅତ୍ୟନ୍ତ ଜଘନ୍ୟ ଅପରାଧ ଶ୍ରେଣୀରେ ଆସୁଛି ।” ହାଇକୋର୍ଟରେ ଜାମିନ ଆବେଦନ ଶୁଣାଣି ସମୟରେ ଆଶିଷ ମିଶ୍ରାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଚର୍ତୁବେଦୀ, ପୀଡିତଙ୍କ ପକ୍ଷରୁ କମଲଜିତ୍ ରାଖଡା, ସରକାରଙ୍କ ପଟୁ ଏଏଜି ବିନୋଦ ଶାହି ଉପସ୍ଥିତ ରହିଥିଲେ । ହାଇକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ସୂଚନା ଯେ, ଗତ ଅକ୍ଟୋବର ୩ ତାରିଖ ଦିନ ଲଖିମପୁର ଖେରୀ ହିଂସାକାଣ୍ଡ ଘଟିଥିଲା । ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରି ଆନ୍ଦୋଳନ କରୁଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ସେମାନଙ୍କ ଉପରେ ଗାଡି ମଡାଇ ଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ କୃଷକମାନେ ଗାଡି ଡ୍ରାଇଭରଙ୍କ ସମେତ ଦୁଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏହି ହିଂସାରେ ଜଣେ ସାମ୍ବାଦିକଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ପରବର୍ତ୍ତୀ ସମୟରେ ଏହି ହିଂସା ମାମଲାରେ ଆଶିଷ ମିଶ୍ରାଙ୍କୁ ୧୨ ଘଣ୍ଟା ପଚରାଉଚୁରା ପରେ ଏସଆଇଟି ତାଙ୍କୁ ଗିରଫ କରିଥିଲା ।