ବିନା ଶତକରେ କୋହଲିଙ୍କ ବିଫଳତାର ହଜାର ଦିନ
ଟ୍ରୋଲ କଲେ ବାର୍ମି ଆର୍ମି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ଇତିମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ବିନା ଶତକରେ ଆଜି ୧୦୦୦ ଦିନ ପୂରଣ ହୋଇଛି । କୋହଲି ନିଜର ଶେଷ ଶତକ ୨୦୧୯ ନଭେମ୍ବର ୨୩ରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ (୧୩୬) ଅର୍ଜନ କରିଥିଲେ । ଏହା କୋହଲିଙ୍କ ୭୦ତମ ଅନ୍ତର୍ଜାତୀୟ ଶତକ ଥିଲା। ମାତ୍ର ଏହା ପରେ ତାଙ୍କ ପାଇଁ ବିଫଳତାର ସମୟ ଆରମ୍ଭ ହୋଇଥିଲା । ଶେଷ ଶତକ ହାସଲ କରିବା ପରେ ସେ ୧୮ ଟେଷ୍ଟ ଖେଳି ୬ ଅର୍ଦ୍ଧଶତକ ସହିତ ୮୭୨ ରନ କରିଛନ୍ତି । ଏଥିରେ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ଥିଲା ୭୯ ରନ ।
ସେହିପରି ଶେଷ ଟେଷ୍ଟ ଶତକ ଅର୍ଜନ କରିବା ପରେ ୫୦ ଓଭର ବିଶିଷ୍ଟ ଦିନିକିଆ ଫର୍ମାଟରେ ୨୩ ଦିନିକିଆ ଖେଳି ୧୦ ଅର୍ଦ୍ଧଶତକ ସହିତ ୮୨୪ ରନ କରିଛନ୍ତି । ଏଥିରେ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ଥିଲଶ ୮୯ ରନ । ଏହା ବ୍ୟତିତ ବାଂଲାଦେଶ ବିକ୍ଷ ଶତକୀୟ ଇନିଂସ ପରେ ୨୭ ଟି-୨୦ ମ୍ୟାଚ ଖେଳି ୮ ଅର୍ଦ୍ଧଶତକ ବଳରେ ୮୫୮ ରନ ସଂଗ୍ରହ କରି ଥିବା ବେଳେ ଅପରାଜିତ ୯୪ ରନ ହେଉଛି ବ୍ୟକ୍ତିଗତ ସର୍ବାଧିକ ସ୍କୋର । ତେଣୁ ୨୦୧୯ ନଭେମ୍ବର ୨୩ ତାରିଖ ପରଠାରୁ କୋହଲି ଭାରତ ପାଇଁ ତିନି ଫର୍ମାଟରେ ମୋଟ ୬୮ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୪ ଅର୍ଦ୍ଧଶତକ ସହିତ ମ୍ୟାଚ ପିଛା ୩୪.୦୫ ହାରରେ ୨,୫୫୪ ରନ ସଂଗ୍ରହ କରିଛନ୍ତି । ଚଳିତ ବର୍ଷ ସବୁଠାରୁ ଦୂର୍ବଳ ପ୍ରଦର୍ଶନ କରି ୧୬ ମ୍ୟାଚର ୧୯ ଇନିଂସରେ ୪ ଅର୍ଦ୍ଧଶତକ ସହିତ ମୋଟ ୪୭୬ ରନ କରିଛନ୍ତି । ତେଣୁ ତାଙ୍କର ବିଫଳତା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇ ଥିବା ବେଳେ ଆଗାମୀ ଦିନରେ କେବେ ପୁଣି ଶତକ ଅର୍ଜନ କରିବେ ତାହା ଅପେକ୍ଷାର ବିଷୟ । ଚଳିତ ମାସ ଶେଷ ଆଡକୁ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରେ ନିଜର ଦୁର୍ବଳ ଫର୍ମରେ ସୁଧାର ଆଣି ପାରିବେ ବୋଲି ଅନୁମାନ ।
କୋହଲି ବିନା ଶତକରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦ ଦିନ ପୂରା କରିବା ନେଇ ଇଂଲଣ୍ଡର ବାର୍ମି ଆର୍ମି ଏହି ଭାରତୀୟ ବ୍ୟାଟସମ୍ୟାନଙ୍କୁ ଟ୍ରୋଲ କରିବାକୁ ଉଦ୍ୟମ କରିଛନ୍ତି। ବାର୍ମି ଆର୍ମି ଟୁଇଟ୍ କରି ଲେଖିଛନ୍ତି ୧୦୦୦ ଦିନ। ବାର୍ମି ଆର୍ମିଙ୍କୁ ଏହି ଟୁଇଟ୍ କରିବା ମହଙ୍ଗା ପଡିଛି। ଭାରତୀୟ ପ୍ରଶଂସକ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ୩୩୫୨ ଦିନରୁ ଇଂଲଣ୍ଡ ଭାରତ ବିପକ୍ଷରେ ତାରି ମାଟିରେ କୌଣସି ସିରିଜ୍ ଜିତି ନାହିଁ। ଆଉ ଜଣେ ପ୍ରଶଂସକ ଦିନିକିଆ କ୍ରିକେଟରେ କୌଣସି ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ ଏକ ଖାସ୍ ରେକର୍ଡକୁ ନେଇ ତାତ୍ସଲ୍ୟ କରିଛନ୍ତି।
ସୂଚନା ଯେ, ବିରାଟ କୋହଲି ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରି ପାରିନଥିଲେ ବି ତାଙ୍କ ରେକର୍ଡ ଦମଦାର ରହିଛି। ଅଧିକ ଅନ୍ତର୍ଜାତୀୟ ଶତକ ତାଲିକାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି। ୭୧ ଶତକ ସହ ରିକି ପଣ୍ଟିଂ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। କୋହଲି ତାଙ୍କଠୁ ମାତ୍ର ଗୋଟିଏ ଶତକ ପଛରେ ଅଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୨୭ ତାରିଖରୁ ଏସିଆ କପ୍ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଜାରି ରହିବ। ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ।