କେକେଆରକୁ ଝଟ୍କା : ବାଦ୍ ପଡିଲେ ଷ୍ଟାର ବୋଲର ପ୍ୟାଟ୍ କ୍ୟୁମିନ୍ସ
ନୂଆଦିଲ୍ଲୀ : ଆଇପିଏଲ ପ୍ଲେ-ଅଫ୍ ରେସରୁ ଏକ ପ୍ରକାର ବାହାରି ସାରିଛି କୋଲକାତା ନାଇଟ ରାଇଡର୍ସ । ଏହାମଧ୍ୟରେ ଦଳକୁ ଆଉ ଏକ ବଡ ଝଟ୍କା ଲାଗିଛି । ଟିମର ଷ୍ଟାର ବୋଲର ପ୍ୟାଟ୍ କ୍ୟୁମିନ୍ସ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଅଷ୍ଟ୍ରେଲିଆ ଟେଷ୍ଟ୍ ଟିମର ଅଧିନାୟକ କ୍ୟୁମିନ୍ ଖୁବ୍ ଶୀଘ୍ର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ଅଷ୍ଟ୍ରେଲିଆ କ୍ରିକେଟ୍ ଓ୍ୱେବସାଇଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଓ୍ୱେବସାଇଟ୍ ଅନୁସାରେ, ପ୍ୟାଟଙ୍କୁ ଆଘାତ ଲାଗିଛି । ତେଣୁ ସେ ବିଶ୍ରାମ ନେବାକୁ ସ୍ଥିର କରିଛନ୍ତି । ଆଗାମୀ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଜଣାପଡିଛି ।
ପ୍ୟାଟଙ୍କୁ ଚଳିତ ସିଜିନରେ ବିଳମ୍ବରେ କେକେଆର କିଣିଥିଲା । କାରଣ ସେ ପାକିସ୍ତାନ ଗସ୍ତରେ ଥିଲେ । ସେଠାରୁ ଫେରି ପ୍ୟାଟ୍ ଆଇପିଏଲ ଖେଳିତିଲେ । ସେ ଚଳିତ ସିଜିନରେ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୭ ଓ୍ୱିକେଟ୍ ନେଇଛନ୍ତି । ଏହାସହ ସେ ବ୍ୟାଟିଂରେ ମଧ୍ୟ କମାଲ ଦେଖାଇଥିଲେ । ତାଙ୍କ ବ୍ୟାଟରୁ ଗୋଟିଏ ହାଫ୍ ସେଞ୍ଚୁରୀ ବି ବାହାରିଛି । ସେହିପରି ମେ ଶେଷ ସପ୍ତାହରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କା ଗସ୍ତ କରିବ । ସେଠାରେ ଦଳ ୩ ଟି୨୦, ୫ ଦିନିକିଆ ଓ ୨ ଟେଷ୍ଟ୍ ଖେଳିବ ।ଜୁନ ୭ରୁ ଏହି ସିରିଜ ଆରମ୍ଭ ହେବ । ତେବେ ପ୍ୟାଟ୍ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍ ଖେଳିବେ ନାହିଁ । ସୂଚନା ଯେ, କୋଲକାତା ପ୍ଲେ-ଅଫ୍ ରାସ୍ତାରୁ ବାଦ୍ ପଡିବା ଏକ ପ୍ରକାର ସୁନିଶ୍ଚିତ । ଦଳ ଏବେସୁଦ୍ଧା ୧୨ଟିରୁ ୫ଟି ମ୍ୟାଚରେ ବିଜୟୀ ହୋଇଛି । ଆଉ ଦୁଇ ମୁକାବିଲା ଖେଳିବା ବାକି ଅଛି । ଦଳ ଯଦି ଦୁଇଟିଯାକ ମ୍ୟାଚ୍ ଜିତେ ତେବେ ୧୪ ପଏଁଣ୍ଟ ପାଇବ । ଏହାଦ୍ୱାରା କେକେଆରକୁ ବାକି ଦଳର ପରାଜୟ ଓ କମ୍ ରନରେଟ୍ ନେଇ ପ୍ରାର୍ଥନା କରିବାକୁ ହେବ । ଯାହା ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଉଛି ।