କଲରାପତରିଆ ବାଘ ଛାଲ ଜବତ : ୩ ଗିରଫ, ମୋଟରସାଇକେଲ୍ ଜବତ
ମାଲକାନଗିରି : ମାଲକାନଗିରି ବନ ବିଭାଗ କର୍ମଚାରୀମାନେ ଏକ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି। ଏହି ବାଘ ଛାଲ ମୋଟୁ ରେଞ୍ଜ ଅନ୍ତର୍ଗତ ପୋଟେରୁ କେନାଲ ରାସ୍ତାରୁ ଜବତ ହୋଇଥିବା ସୂଚନା ରହିଛି। ବନ କର୍ମଚାରୀମାନେ ବାଘ ଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି। ଗୋଟିଏ ମୋଟର ସାଇକେଲ୍ ବି ଜବତ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତ ମୋଟୁ ଥାନାର ମାଂଗିପାଲି ଗାଁର ବୋଲି ଜଣାପଡ଼ିଛି।
ସୂଚନା ଯେ, ମାଲକାନଗିରି ଜିଲା ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଙ୍ଗିପାଲି ଗାଁର ମୁକେଶ ମାଡକାମି, ପେଣ୍ଟା ମାଡକାମି ଓ ଦୁଲା ମାଡକାମି ଗୋଟିଏ ମୋଟର ସାଇକେଲରେ ଏହି ବାଘ ଛାଲକୁ ନେଇ ଆନ୍ଧ୍ର ପ୍ରଦେଶ ବିକ୍ରି କରିବାକୁ ଯାଉଥିଲେ । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଏହାକୁ ଜବତ କରିଛି । ଗିରଫ ତିନି ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ମାଲକାନଗିରି ଡିଏଫଓ କହିଛନ୍ତି । ତେବେ ଜବତ ହୋଇଥିବା ବାଘ ଛାଲଟିର ଲମ୍ବ ୧.୧୩ ମିଟର ହୋଇଥିବା ଜଣାପଡିଛି । ଏତେ ଲମ୍ବର ବାଘ ଛାଲ, ଏମାନେ ଆଣିଲେ କେଉଁଠି । ତାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।