ବାଲେଶ୍ୱର : ଗ୍ରାମୀଣ ମହିଳାଙ୍କ ରୋଜଗାର ବୃଦ୍ଧିରେ ସହାୟକ ହେବ ଝୋଟ ହସ୍ତକଳା
- ୨୬ଦିନ ବ୍ୟାପୀ ଚାଲିଥିବା ଝୋଟ ହସ୍ତକଳାର ଡିଜାଇନ୍ କର୍ମଶାଳା ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ପାରିକୂଳ ଠାରେ ଦୀର୍ଘ ୨୬ଦିନ ବ୍ୟାପୀ ଚାଲିଥିବା ଝୋଟ ହସ୍ତକଳାର ଡିଜାଇନ୍ କର୍ମଶାଳା ଉଦ୍ଯାପିତ ହୋଇଯାଇଛି । ଗ୍ରାମୀଣ ମହିଳାମାନଙ୍କୁ ହସ୍ତକଳା ମାଧ୍ୟମରେ ସ୍ୱାବଲମ୍ବୀ କରିବା ସହ ଗ୍ରାମାଞ୍ଚଳରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଏହି କର୍ମଶାଳା ଆୟୋଜନର ଥିଲା ମୂଳ ଲକ୍ଷ୍ୟ । ଏହି କର୍ମଶାଳାରେ ପାରିକୂଳ ଗ୍ରାମର ୫୦ଜଣ ମହିଳା ଅଂଶଗ୍ରହଣ କରିଥିଲେ । ୨୬ଦିନର ତାଲିମ ମଧ୍ୟରେ ସେମାନେ ଝୋଟ ବ୍ୟବହାର କରି ଭଳିକି ଭଳି ପେନ ଷ୍ଟାଣ୍ଡ, ଫୁଲଦାନୀ, ଝୁମର, ୱାଲ ହ୍ୟାଙ୍ଗିଙ୍ଗ୍, ପାପୋଚ, ଫ୍ଲାଓର ବୁକେ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଓ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ତତ୍ସହିତ ପ୍ରଶିକ୍ଷାର୍ତୀମାନଙ୍କୁ ଝୋଟ କପଡ଼ାରୁ ବ୍ୟାଗ୍ ଯଥା ଲ୍ୟାପଟପ ବ୍ୟାଗ୍, ଭ୍ୟାନିଟ୍, ଫୋଲଡ଼ର, ଟିଫିନ୍ ବ୍ୟାଗ, ୱାଟର ବୋଟଲ ବ୍ୟାଗ୍ ଆଦି ତିଆରିର କଳାକୌଶଳ ଶିଖା ଯାଇଥିଲା । ତତ୍ସହିତ ବଜାର ଚାହିଦା ଅନୁସାରେ କଳାକୃତି ଗୁଡ଼ିକର ରଙ୍ଗ କରିବା ଓ ସେଗୁଡ଼ିକ ଉପରେ ସ୍କ୍ରିନ ପ୍ରିଣ୍ଟିଂ କରି ଆକର୍ଷଣୀୟ କରାଇବା ସମ୍ପର୍କରେ ତାଲିମ ଦିଆଯାଇଥିଲା । ବାଲେଶ୍ୱର ଜିଲାର ମହିଳା ଡିଜାଇନର ସନ୍ଧ୍ୟାରାଣୀ ଗିରି ଏହି କର୍ମଶାଳାର ଡିଜାଇନର ବା ପ୍ରଶିକ୍ଷକ ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।
ନୂତନ ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ଉଦ୍ଦେଶ୍ୟରେ ଅହମଦାବାଦର ଇଣ୍ଟରପ୍ରୁନରସିପ୍ ଡେଭେଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବା ଇଡ଼ିଆଇ ଓ ଆସେନଚର ସଂସ୍ଥା ଏହି କର୍ମଶାଳା ନିମନ୍ତେ ଆର୍ଥିକ ସହଯୋଗର ହାତ ବଢ଼ାଇଥିଲେ । ଭୁବନେଶ୍ୱରର ସ୍ୱେଚ୍ଚାସେବୀ ସଙ୍ଗଠନ ଏଫ୍ଡିଆଇ ଏହି କର୍ମଶାଳାକୁ ପରିଚାଳନା କରିଥିଲେ । ଓଡ଼ିଶା ଶିଳ୍ପୀ ମହାସଂଘର ବାଲେଶ୍ୱର ଜିଲା ଶାଖା ଏହି କର୍ମଶାଳାର ସଫଳତା ନିମନ୍ତେ ସମସ୍ତ ପ୍ରକାରର ସହଯୋଗ କରିଥିଲା । ଉଦ୍ଯାପନୀ ଉତ୍ସବର ମୁଖ୍ୟଅତିଥି ଭାବେ ଇଡ଼ିଆଇର ରାଜ୍ୟ ସଂଯୋଜକ ସୈକତ ସୁତ୍ରଧର ଯୋଗଦେଇ ଏଠାରେ ପ୍ରଶିକ୍ଷଣ ନେଇଥିବା ମହିଳାମାନଙ୍କୁ ବଜାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏଫ୍ଡ଼ିଆଇର ଅଧ୍ୟକ୍ଷ ହୃଦାନନ୍ଦ ବେହେରା ନିଜ ବକ୍ତବ୍ୟରେ ଏହି ତାଲିମ ପ୍ରଶିକ୍ଷାର୍ଥୀମାନଙ୍କର ରୋଜଗାର ବଢ଼ାଇବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି, ସମ୍ପାଦକ ପ୍ରିୟରଞ୍ଜନ କର, ସଙ୍ଗଠନ ସମ୍ପାଦିକା ସରୋଜିନୀ ଦାସ, ବାଲେଶ୍ୱର ଜିଳା ସଭାନେତ୍ରୀ ବାସନ୍ତୀ ନାୟକ ଉପସ୍ଥିତ ଥିଲେ । ଶେଷରେ ଏହି କର୍ମଶାଳାର ପ୍ରଶିକ୍ଷିକା ସନ୍ଧ୍ୟାରାଣୀ ଗିରି ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଳେ ।