ଝାରସୁଗୁଡା ଉପ-ନିର୍ବାଚନ : ପ୍ରାର୍ଥୀ ଦେଲା କଳିଙ୍ଗସେନା
ଭୁବନେଶ୍ୱର : ଝାରସୁଗୁଡା ଉପ-ନିର୍ବାଚନ ପାଇଁ କଳିଙ୍ଗ ସେନା ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସେନା ସୁପ୍ରିମୋ ହେମନ୍ତ ରଥ ଝାରସୁଗୁଡାର ଉଚ୍ଚଶିକ୍ଷିତ ଯୁବକ ମହେନ୍ଦ୍ର ପଟ୍ଟନାୟକ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ ବିଧାୟକ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କ ନାମ ଘୋଷଣା କରିବା ସହିତ ଆଗାମୀ ଉପର୍ନିବାଚନରେ ଝାରସୁଗୁଡାବାସୀଙ୍କର ସେ ପ୍ରଥମ ପସନ୍ଦ ହେବେ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଶ୍ରୀ ପଟନାୟକ କହିଥିଲେ ଯେ ଆଜି ଝାରସୁଗୁଡା ପ୍ରତି କ୍ଷେତ୍ରରେ ଅବହେଳିତ ହୋଇ ରହିଛି । ମହାନଦୀ କୂଳରେ ଥିଲେ ମଧ୍ୟ ଏଠାକାର ଲୋକେ ସ୍ୱଚ୍ଛ ପାନୀୟଜଳ ମୁନ୍ଦାଏ ପାଇପାରୁ ନାହାନ୍ତି । ସେହିଭଳି ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାରେ ନିଯୁକ୍ତି କ୍ଷେତ୍ରରେ ଓଡିଆ ଯୁବକ ଯୁବତୀଙ୍କୁ ଅଣଦେଖା କରାଯାଉଛି । ତେଣୁ ରାଜ୍ୟରେ ସର୍ବଦା ଯୁବଗୋଷ୍ଠି ଓ ଓଡିଆ ଅସ୍ମିତାକୁ ପ୍ରାଧାନ୍ୟ ଦେଉଥିବା କଳିଙ୍ଗସେନା ପ୍ରତି ଲୋକଙ୍କ ସମର୍ଥନ ଅଧିକ ରହିବ ବୋଲି ଶ୍ରୀ ପଟ୍ଟନାୟକ ଜୋର ଦେଇ କହିଛନ୍ତି ।