ନୀଳଗିରି ମୁହାଁ ୬୨ରୁ ଉର୍ଦ୍ଧ୍ୱ ଝାଡ଼ଖଣ୍ଡୀ ହାତୀପଲ; ଆତଙ୍କିତ ବନାଞ୍ଚଳବାସୀ
ନୀଳଗିରି ଓ କୁଲଡିହା ବନବିଭାଗ ପାହ୍ୟାରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳକୁ ଗତ ୨୦୧୦ରୁ ଝାଡ଼ଖଣ୍ଡୀ ହାତୀପଲ ଆସୁଥିବା ବେଳେ ଚଳିତବର୍ଷ ମଧ୍ୟ ଚିରାଚରିତ ଢଙ୍ଗରେ ପ୍ରତିବର୍ଷ ଭଳି ୬୨ରୁ ଉର୍ଦ୍ଧ୍ୱ ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଆସି ଓଡ଼ିଶା ସୀମା ପାର ହୋଇ ୩ଦିନ ହେବ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ନଡ଼ପୁର ଅଞ୍ଚଳରେ ହାତୀମାନେ ଚଳପ୍ରଚଳ କରୁଛନ୍ତି ।
ଉକ୍ତ ଝାଡ଼ଖଣ୍ଡୀ ହାତୀପଲ ଖାଦ୍ୟ ଅନ୍ୱେଷଣରେ ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଆସି ନୀଳଗିରି ମୁହାଁ ହୋଇ ପୁନଃର୍ବାର ଜାନୁୟାରୀ ଓ ଫେବୃୟାରୀ ମାସରେ ବାହୁଡିଥାନ୍ତି । ଏହାରି ମଧ୍ୟରେ ଯେତିକ ଦିନ ରହନ୍ତି ଏକର ଏକର ଚାଷ ଜମି ବ୍ୟାପକ ଭାବେ କ୍ଷୟକ୍ଷତି କରିଥାନ୍ତି । ତେବେ ନୀଳଗିରି ମୁଖେ ବିଶାଳ ହାତୀପଲଙ୍କ ଅଗ୍ରସର ହେବାକୁ ଥିବା ନେଇ ବନାଞ୍ଚଳ ବାସୀଙ୍କ ଧନଜୀବନକୁ ସୁରକ୍ଷିତ ରଖିବା ପାଇଁ ନୀଳଗିରି ବନବିଭାଗର ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା ଓ କୁଲଡିହା ବନବିଭାଗର ରେଞ୍ଜର ଅନନ୍ତ ପ୍ରସାଦ ଜେନାଙ୍କ ପକ୍ଷରୁ ଶନିବାର ଡାକବାଜି ଯନ୍ତ୍ର ମାଧ୍ୟମରେ ନିଜନିଜର ସୁରକ୍ଷା ସହ ହାଣ୍ଡିଆ, ମହୁଲ, ମାଦକ ଦ୍ରବ୍ୟ ନ ରଖିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଥିବାର ଦୁଇ ରେଞ୍ଜର ସୂଚନା ଦେଇଛନ୍ତି । ଏହି ୬୨ ହାତୀପଲ ମଧ୍ୟରେ ଅନେକ ଦନ୍ତାହାତୀ ସହ ୨୨ ଛୁଆ ହାତୀ ରହିଥିବାର ଜଣାପଡ଼ିଛି ।