ସଙ୍କଟରେ ଝାରଖଣ୍ଡ ସରକାର! ୨୫ ନେତାଙ୍କୁ ଦିଲ୍ଲୀ ଡକାଇଲେ ସୋନିଆ ଗାନ୍ଧୀ
ରାଞ୍ଚି: ଝାଡ଼ଖଣ୍ଡରେ ମେଣ୍ଟ ସରକାର ମଧ୍ୟରେ ମତଭେଦ ଦେଖାଦେଇଛି । ମେଣ୍ଟରେ ସାମିଲ ଥିବା ଦଳ ମଧ୍ୟରେ ମତଭେଦ ଯୋଗୁଁ ରାଜ୍ୟର ରାଜନୈତିକ ପାରା ବଢ଼ିଯାଇଛି । କଂଗ୍ରେସ ହାଇକମାଣ୍ଡ ଆଜି ପ୍ରଦେଶାଧ୍ୟକ୍ଷଙ୍କ ସମେତ ଝାଡ଼ଖଣ୍ଡ କଂଗ୍ରେସର ଅନେକ ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି । ଖବର ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ, ଝାଡ଼ଖଣ୍ଡରେ ମେଣ୍ଟର ସହଯୋଗୀ ମଧ୍ୟରେ କଳହ ମଧ୍ୟରେ କଂଗ୍ରେସ ଏପ୍ରିଲ ୫ରେ ଦିଲ୍ଲୀରେ ଏକ ବୈଠକ ଡାକିଛି, ଯେଉଁଥିରେ ଝାଡ଼ଖଣ୍ଡ ସହ ଜଡ଼ିତ ମୋଟ ୨୫ କଂଗ୍ରେସ ନେତା ସାମିଲ ହେବେ । ଝାଡ଼ଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁରକହିଛନ୍ତି ଯେ ଏହି ବୈଠକରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ, ଝାଡ଼ଖଣ୍ଡ ସରକାରରେ ୪ କଂଗ୍ରେସ ମନ୍ତ୍ରୀ, ସମସ୍ତ ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ଏବଂ କିଛି ୱିଙ୍ଗର ଅଧ୍ୟକ୍ଷ ଯୋଗଦେବେ ।
ବୈଠକରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହିତ ଚାଲିଥିବା ଉତ୍ତେଜନାକୁ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇପାରେ । ଖବର ମୁତାବକ କଂଗ୍ରେସ ନେତାମାନେ ଜେଏମଏମ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦଳକୁ ଅଣଦେଖା କରୁଥିବା ଅଭିଯୋଗ କରୁଛନ୍ତି । ଝାଡ଼ଖଣ୍ଡର ମେଣ୍ଟ ସରକାରରେ ନିଜର ବରିଷ୍ଠ ସହଯୋଗୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦ୍ୱାରା ଅବହେଳିତ ଅନୁଭବ କରି ସୋମବାର ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ସେମାନଙ୍କ ବିନା ସରକାର ଚଳାଇ ପାରିବେ ବୋଲି କେହି ଭ୍ରମରେ ରହିବା ଉଚିତ୍ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଂଗ୍ରେସ ବିଧାୟକଙ୍କୁ ଉପେକ୍ଷା କରାଯାଉଥିବା ବିଷୟରେ ପ୍ରଶ୍ନ ପଚରାଯିବାରୁ କଂଗ୍ରେସର ଝାଡ଼ଖଣ୍ଡ ପ୍ରଭାରୀ ଅବୀନାଶ ପାଣ୍ଡେ କହିଛନ୍ତି ଯେ, କାହାକୁ ଏହି ଭ୍ରମରେ ରହିବା ଉଚିତ ନୁହେଁ ଯେ ସେ କେବଳ ଏକାକୀ ସରକାର ଚଳାଇ ପାରିବେ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବା ପାଇଁ ରୋଡମ୍ୟାପ ସ୍ଥିର କରିବାକୁ ଏହି ବୈଠକ ଡକାଯାଇଛି ବୋଲି ଅବିନାଶ ପାଣ୍ଡେ କହିଛନ୍ତି ।
ସୂଚନା ଯେ, ୮୧ ସଦସ୍ୟ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), କଂଗ୍ରେସ ଏବଂ ଆରଜେଡିର ୪୭ ଜଣ ବିଧାୟକ ଅଛନ୍ତି । ଜେଏମଏମର ୩୦, କଂଗ୍ରେସର ୧୮ ଏବଂ ଆରଜେଡିର ଜଣେ ବିଧାୟକ ଅଛନ୍ତି । ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ଚାରିଜଣ କଂଗ୍ରେସ ମନ୍ତ୍ରୀ ସାମିଲ ଅଛନ୍ତି ।