ଆଇଡବ୍ଲୁଏଲ୍ ଫୁଟ୍ବଲ ପ୍ରତିଯୋଗିତା : ଓଡ଼ିଶା ପୁଲିସକୁ ହରାଇଲା ସ୍ପୋର୍ଟସ ଓଡ଼ିଶା
ଭୁବନେଶ୍ବର : ଚଳିତ ଇଣ୍ଡିଆନ୍ ମହିଳା ଲିଗ୍ (ଆଇଡବ୍ଲୁଏଲ୍) ଫୁଟ୍ବଲ ପ୍ରତିଯୋଗିତାର କଳିଙ୍ଗ ଷ୍ଟାଡିୟମ୍ରେ ଦୁଇ ଓଡ଼ିଶା ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ପୁଲିସ ଦଳକୁ ୪-୧ ଗୋଲ୍ରେ ସ୍ପୋର୍ଟସ ଓଡ଼ିଶା ପରାସ୍ତ କରିଦେଇଛି। ମ୍ୟାଚ୍ର ଦ୍ବାଦଶ ମିନିଟ୍ରେ ସୁମିତ୍ରା ଖାଲ୍କୋ ପ୍ରଥମେ ଗୋଲ୍ କରି ପୁଲିସ ଦଳକୁ ଅଗ୍ରଣୀ ଦେଇଥିଲେ। ହେଲେ ଏହାପରେ ସ୍ପୋର୍ଟସ ଦଳ ଲାଗ ଲାଗ ୪ ୱିକେଟ୍ ଲଦିଦେଇ ମ୍ୟାଚ୍ ନିଜ ପକ୍ଷକୁ ନେଇଯାଇଥିଲା। ୧୫ତମ ମିନିଟ୍ରେ ସୁମିତ୍ରା ହେମ୍ବ୍ରମ୍ଙ୍କ ଗୋଲ୍ ବଳରେ ସ୍ପୋର୍ଟସ ଓଡ଼ିଶା ସ୍ଥିତି ୧-୧ କରିନେବା ପରେ ୧୭ତମ ମିନିଟ୍ରେ ସତ୍ୟବତୀ ଖାଡିଆଙ୍କ ଗୋଲ୍ ୨-୧ର ଅଗ୍ରଣୀ ଦେଇଥିଲା।
ଏହାପରେ ୪୭ତମ ମିନିଟ୍ରେ ପ୍ୟାରି ଖାଖା ଏବଂ ୫୮ ମିନିଟ୍ରେ ସୁଭଦ୍ରା ସାହୁ ଗୋଟିଏ ଲେଖାଏଁ ଗୋଲ୍ କରି ସ୍ପୋର୍ଟ ଓଡ଼ିଶାକୁ ସହଜ ବିଜୟ ଭେଟି ଦେଇଥିଲେ। ସ୍ପୋର୍ଟସ ଓଡ଼ିଶା ଷଷ୍ଠ ମ୍ୟାଚ୍ରୁ ତୃତୀୟ ବିଜୟ ସହ ୧୦ ପଏଣ୍ଟ ପାଇ ପଞ୍ଚମ ସ୍ଥାନକୁ ଉଠିଥିଲା ବେଳେ ଓଡ଼ିଶା ପୁଲିସ ଦଳ ସମାନ ସଂଖ୍ୟକ ମ୍ୟାଚ୍ରୁ ଚତୁର୍ଥ ପରାଜୟ ସହ ୬ ପଏଣ୍ଟ ସହ ନବମ ସ୍ଥାନରେ ରହିଛି। ପ୍ୟାରି ଖାଖା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପ୍ୟାରି ଚଳିତ ପ୍ରତିଯୋଗିତାରେ ୬ ମ୍ୟାଚ୍ରୁ ବ୍ୟକ୍ତିଗତ ଭାବେ ୬ ଗୋଲ୍ କରି ସର୍ବାଧିକ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି।