ଆଇପିଏଲ-୨୦୨୩ : ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲା, ପ୍ରଥମ ବିଜୟ ଲକ୍ଷରେ ଉଭୟ ଦଳ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ଆଜି ୧୬ତମ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଏହି ମ୍ୟାଚ ଦିଲ୍ଲୀ ସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ । ଦିଲ୍ଲୀ ୩ରୁ ୩ ଏବଂ ମୁମ୍ବାଇ ୨ରୁ ୨ ହାରି ପଏଣ୍ଟ ଟେବୁଲର ଶେଷ ଦୁଇ ସ୍ଥାନରେ ରହିଛନ୍ତି। ଫଳରେ ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟ ସ୍ୱାଦ ଚାଖି ନାହାନ୍ତି । ତେଣୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ ।
ଖେଳାଳିଙ୍କ ଆହତ ସମସ୍ୟା ଓ ଅନୁପସ୍ଥିତି ଉଭୟ ଦଳକୁ ଚିନ୍ତାରେ ପକାଇଛି । ଶ୍ରେଷ୍ଠ ଏକାଦଶ ଚୟନ କରିବାରେ ଉଭୟ ଦଳ ବିଫଳ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ୨ଟି ମ୍ୟାଚ୍ ଖେଳି ସାରିଛି । ଜସପ୍ରୀତ ବୁମରା, ଝେୟ ରିଚାର୍ଡସନ ଆହତ ହୋଇ ଆଇପିଏଲ୍ରୁ ବାଦ ପଡ଼ିଛନ୍ତି । ସେହିପରି ଦଳର ମୁଖ୍ୟ ବୋଲର ଜୋଫ୍ରା ଆର୍ଚର ମଧ୍ୟ ଆହତ ହୋଇଛନ୍ତି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ମିଚେଲ ମାର୍ଶ ବିବାହ ପାଇଁ ସ୍ୱଦେଶ ଫେରିଯାଇଛନ୍ତି । ତେଣୁ ସେ ଆଜିର ମ୍ୟାଚରେ ଅନୁପସ୍ଥିତ ରହିବେ । ପେସ୍ ବୋଲର ଖଲିଲ ଅହମ୍ମଦ ଆହତ ଅଛନ୍ତି । ପୃଥ୍ୱୀ ଶ’ ଓ ସର୍ଫରାଜ ଖାନ୍ ଫର୍ମ ହରାଇଥିବାରୁ ଦଳର ବ୍ୟାଟିଂ ବିଭାଗ ଦୁର୍ବଳ ହୋଇଯାଇଛି । ଏକ ସନ୍ତୁଳିତ ଦଳ ଗଠନ କରିବାରେ ଦିଲ୍ଲୀ କ୍ୟାପିଟାଲ୍ସ ବିଫଳ ହୋଇଛି ।
ମଙ୍ଗଳବାର ମ୍ୟାଚରେ ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ । ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମେ ଫିଲ୍ଡିଂ ସୁଯୋଗ ମିଳିଲେ ଡିୱାଲ୍ଡ ବ୍ରେଭିସଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ବ୍ୟବହାର କରାଯିବା ନିଶ୍ଚିତ । କୋଟଲା ଗ୍ରାଉଣ୍ଡ୍ରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଫଳପ୍ରଦ ରହିବ । ତେବେ ଉଭୟ ଦଳ ଏହି ମ୍ୟାଚକୁ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବେ ।
ଗତ ମ୍ୟାଚ୍ରେ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କୁ ଛାଡ଼ି ଦିଲ୍ଲୀର ଶୀର୍ଷ କ୍ରମ ପୂରା ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ଦ୍ରୁତ ବୋଲର ବିପକ୍ଷରେ ଗତ ୩ ମ୍ୟାଚ୍ରେ ଦଳର ତାରକା ବ୍ୟାଟର୍ ପୃଥ୍ବୀ ସ’ଙ୍କ ବିଫଳତା ନେଇ ଅନେକ ପ୍ରଶ୍ନ ଉଠିଲାଣି। ସେହିପରି ଦିଲ୍ଲୀ ଦ୍ରୁତ ବୋଲର ଅନିରକ୍ ନର୍ଖିୟା, ମୁକେଶ କୁମାର ଓ ଖଲିଲ ଅହମଦ ମଧ୍ୟ ବିପକ୍ଷ ବ୍ୟାଟର୍ଙ୍କୁ ଚାପରେ ରଖିପାରୁନାହାନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖଲିଲ ଆହତ ହୋଇଥିବାରୁ ତାଙ୍କ ଫିଟ୍ନେସ୍ ନେଇ ବଡ଼ ପ୍ରଶ୍ନ ଉଠୁଛି। ସ୍ପିନ୍ରେ କୁଲଦୀପ ଯାଦବ ମିତବ୍ୟୟୀ ରହିଥିଲେ ମଧ୍ୟ ଅକ୍ଷର ପଟେଲ ମଧ୍ୟଭାଗରେ ଅଧିକ ରନ୍ ବ୍ୟୟ କରୁଛନ୍ତି। ଏହା ଦଳ ପାଇଁ ଚିନ୍ତାର କାରଣ।
ଅନ୍ୟପକ୍ଷରେ ତାରକା ବ୍ୟାଟର୍ ଭର୍ତ୍ତି ଥିବା ମୁମ୍ବାଇ ବଡ଼ ସ୍କୋର୍ କରିବାରେ ବିଫଳ ହୋଇଛି। ଦଳ ଈଶାନ କିଶନଙ୍କ ବଡ଼ ସଟ୍ ଏବଂ ଦାମି ଖେଳାଳି କାମେରନ ଗ୍ରିନ୍ଙ୍କ ସଫଳତାକୁ ଅପେକ୍ଷା କରିଛି। ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦୁଇଟି ଯାକ ମ୍ୟାଚ୍ରେ ବିଫଳ ହୋଇଛନ୍ତି। କେବଳ ତିଲକ ବର୍ମା ନିଜର ବ୍ୟାଟ୍ରେ କମାଲ ଦେଖାଇଛନ୍ତି। ରୋହିତ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପରାଜୟ ଲାଗି ନିଜ ସହ ବରିଷ୍ଠ ଖେଳାଳିଙ୍କୁ ଦାୟୀ କରିଥିଲେ।