ଆଇପିଏଲ୍-୨୦୨୨ : ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରାଜସ୍ଥାନ
ମୁମ୍ବାଇ : ଆଇପିଏଲ୍-୨୦୨୨ରେ ବିଜୟ ଧାରା ଜାରି ରଖିଛି ରାଜସ୍ଥାନ ରୟାଲ୍ସ । ଶୁକ୍ରବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନ୍ରେ ହରାଇଛି ରାଜସ୍ଥାନ । ଏହି ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ରାଜସ୍ଥାନ ଏଯାଏ ୭ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟିରେ ଜିତିଛି ଓ ୨ଟିରେ ହାରିଛି। ସେହିପରି ଦିଲ୍ଲୀ ସମାନ ସଂଖ୍ୟକ ମ୍ୟାଚ୍ରୁ ୩ଟିରେ ଜିତିଛି ଓ ୪ଟିରେ ହାରିଛି। ଏବେ ଦିଲ୍ଲୀ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବା ବେଳେ ଗୁଜରାଟ ଦ୍ୱିତୀୟ ସ୍ଥାନରେ, ୩ୟରେ ଆରସିବି ଓ ୪ର୍ଥରେ ଲକ୍ଷ୍ନୌ ରହିଛି।
ସୂଚନା ଯେ, ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନର ଦୁଇ ଓପନର ଇନଫର୍ମ ବ୍ୟାଟସମ୍ୟାନ ଜୋସ ବଟଲର ଏବଂ ଦେବଦତ୍ତ ପାଡିକଲ ପ୍ରଥମେ ଦେଖିଚାହିଁ ବ୍ୟାଟିଂ କରିଥିଲେ । ତେବେ କ୍ରିଜରେ ସେଟ୍ ହେବା ପରେ ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ଦିଲ୍ଲୀ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରି ନିର୍ଧୁମ ପ୍ରହାର କରିଥିଲେ । ୧୫.୧ ଓଭରରେ ୧୫୫ ରନ ଯୋଡିଥିଲେ ଦୁଇ ଓପନର । ପାଡିକଲ ୩୫ ବଲରୁ ୭ ଚୌକା ଏବଂ ୨ ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ । ଅନ୍ୟପଟେ ଜୋସ ବଟଲର ଧୂଆଁଧାର ବ୍ୟାଟିଂ କରି ଚଳିତ ଆଇପିଏଲରେ ନିଜର ତୃତୀୟ ଶତକ ହାସଲ କରିଥିଲେ । ମୋଟ୍ ଉପରେ ଆଇପିଏଲରେ ବଟଲରଙ୍କ ଏହା ହେଉଛି ଚତୁର୍ଥ ଶତକ । ୧୯ତମ ଓଭରରେ ବଟଲର ଆଉଟ୍ ହୋଇଥିଲେ । ସେ ୬୫ ବଲରୁ ୯ଟି ଲେଖାଏଁ ଚୌକା ଏବଂ ଛକା ସହ ୧୧୬ ରନର ଚମତ୍କାର ଇନିଂସ ଖେଳିଥିଲେ । ଶେଷ ଆଡକୁ ସଞ୍ଜୁ ସାମସନ ୧୯ ବଲରୁ ୫ ଚୌକା ଏବଂ ୩ ଛକା ସହ ୪୬ ରନ କରିଥିଲେ । ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୨ ୱିକେଟ୍ ହରାଇ ୨୨୨ ରନ କରିଛି । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ଏବଂ ମୁସ୍ତାଫିଜୁର ରେହମାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
୨୨୩ ରନର ବିଶାଳ ବିଜୟ ଲକ୍ଷ୍ୟ ହାସଲ ପାଇଁ କ୍ରିଜକୁ ଓହ୍ଲାଇଥିବା ଦିଲ୍ଲୀ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଉପରେ ନିର୍ଭର ଥିଲା। ଓ୍ଵାର୍ଣ୍ଣର ୧୪ ବଲରୁ ୫ ଚୌକା ଏବଂ ୧ ଛକା ସହ ୨୮ ରନ କରିଥିଲେ। ସରଫରାଜ ଖାନ(୧) ଆଉଟ୍ ହୋଇଥିଲେ। ପୃଥ୍ଵୀ ଶ କ୍ରିଜରେ ଜମିଥିଲେ ମଧ୍ୟ ୩୭ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଋଷଭ ପନ୍ତଙ୍କଠୁ ଦଳ ବହୁତ କିଛି ଆଶା ରଖିଥିଲା। ପନ୍ତ ବିସ୍ଫୋରକ ବ୍ୟାଟିଂ କରି ୨୪ ବଲରୁ ୪ ଚୌକା ଏବଂ ୨ ଛକା ଜରିଆରେ ୪୪ ରନ କରିଥିଲେ। ତେବେ ଦିଲ୍ଲୀ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବା ଦଳର ରନ ଗତି ଧିମେଇ ଯାଇଥିଲା। ଅକ୍ଷର ପଟେଲ(୧) ଏବଂ ଶାର୍ଦ୍ଦୁଳ ଠାକୁର(୧୦) ନିରାଶ କରିଥିଲେ। ତେବେ ଲଳିତ ଯାଦବ ସେଟ୍ ହୋଇଥିଲେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ। ଲଳିତ ଯାଦବ ୩୭ ରନ କରି ଦଳକୁ ନିରାଶ କରିଥିଲେ। ବିଶେଷ କରି ୧୯ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଓ୍ଵିକେଟ୍ ନେଇ ମେଡେନ ନେଇଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୦୭ ରନ କରି ପାରିଛି। ରୋଭମ୍ୟାନ ପାଓ୍ଵେଲ ଶେଷ ଓଭରରେ କ୍ରମାଗତ ୩ଟି ଛକା ମାରି ମ୍ୟାଚର ରୋମାଞ୍ଚ ବଢାଇଥିଲେ। ପାଓ୍ଵେଲ ୧୫ ବଲରୁ ୫ ଛକା ସହ ୩୬ ରନ କରି ଆଉଟ୍ ହୋଇଥିଲେ। ଏଥିସହ ରାଜସ୍ଥାନ ରୟାଲ୍ସ ୧୫ ରନରେ ବିଜୟୀ ହୋଇଛି।