ଆଇପିଏଲ-୨୦୨୨ : ବଡ ସ୍କୋରିଂ ମ୍ୟାଚ୍ରେ ବାଙ୍ଗାଲୋରକୁ ହରାଇଲା ପଞ୍ଜାବ
ମୁମ୍ବାଇ : ଆଇପିଏଲ-୨୦୨୨ରେ ରବିବାର ଦ୍ଵିତୀୟ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି । ଏଥିରେ ପଞ୍ଜାବ କିଙ୍ଗ୍ସ ବ୍ୟାଟସମ୍ୟାନଙ୍କ ସାମୂହିକ ଯୋଗଦାନ ବଳରେ ଆରସିବି ବିରୋଧରେ ବିଜୟ ହାସଲ କରିଛି। ପଞ୍ଜାବ ଆଇପିଏଲ ୨୦୨୨ରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ଆରସିବି ବୋଲିଂରେ ବିଫଳତା କାରଣରୁ ପ୍ରଥମେ ମ୍ୟାଚ୍ରେ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଆରସିବି ଅଧିନାୟକ ଫାଫ ଡୁପ୍ଲେସିସଙ୍କ ୮୮ ରନ, ବିରାଟ କୋହଲିଙ୍କ ୪୧ ଏବଂ ଦିନେଶ କାର୍ତ୍ତିକଙ୍କ ୩୨ ରନ ବଳରେ ୨ ଓ୍ଵିକେଟ୍ ହରାଇ ୨୦୫ ରନର ବିଶାଳ ସ୍କୋର କରିଥିଲା। ଜବାବରେ ପଞ୍ଜାବ ଶିଖର ଧାଓ୍ଵନଙ୍କ ୪୩, ଭାନୁକା ରାଜପକ୍ଷେଙ୍କ ୪୩ ସହ ଶେଷ ଆଡକୁ ଶାହରୁଖ ଖାନଙ୍କ ୨୪ ଏବଂ ଓଡେନ ସ୍ମିଥଙ୍କ ଅପରାଜିତ ୨୫ ରନ ବଳରେ ୧୯ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବେଙ୍ଗାଲୁରୁ ପକ୍ଷରୁ ମହମ୍ମଦ ସିରାଜ ୨ ଓ୍ଵିକେଟ୍ ନେଇଥିଲେ ହେଁ ୫୯ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
ସୂଚନା ଯେ, ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ପାଇଁ ଡୁପ୍ଲେସିସି ଓ ଅନୁଜ ଇନିଂସ ଆରମ୍ଭ କରିଥିଲେ। ପ୍ରଥମରୁ ଡୁପ୍ଲେସିସ ବେଶ ଧିମା ଖେଳିଥିଲେ। ଏପରି କି ସେ ୧୭ ବଲରେ ମାତ୍ର ୭ ରନ୍ କରି ଶଟ ଖେଳିବାକୁ ସଂଘର୍ଷ କରିଥିଲେ। ଏହି ସମୟରେ ଅନୁଜ କିନ୍ତୁ କିଛି ଦର୍ଶନୀୟ ଶଟ ଖେଳିଥିଲେ। ଦଳୀୟ ସ୍କୋର ୭ ଓଭର୍ରେ ୫୦ ରନରେ ପହଞ୍ଚିବା ପରେ ଅନୁଜ ବ୍ୟକ୍ତିଗତ ୨୧ ରନ୍ କରି ରାହୁଲ ଚହରଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହାପରେ ଆସିଥିଲେ ବିରାଟ କୋହଲି। ସେ କ୍ରିଜ୍କୁ ଆସିବା କ୍ଷଣି ଡୁପ୍ଲେସିସ ନିଜର ଗିୟର ବଦଳାଇଥିଲେ। ବଡ଼ବଡ଼ ଶଟ ଖେଳି ପ୍ରଥମେ ସେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୭ ଓଭର ସୁଦ୍ଧା ଆରିସିବି ୫୦ ରନ୍ କରିଥିବା ବେଳେ ୧୭ ଓଭର ବେଳକୁ ଏହା ୧୬୮ ରନ୍ରେ ପହଞ୍ଚି ଯାଇଥିଲେ। ବିରାଟ ଓ ଡୁପ୍ଲେସିସ ଏକାଠି ୧୦ ଓଭର ବ୍ୟାଟିଂ କରିଥିଲେ ମଧ୍ୟ ପଞ୍ଜାବକୁ କୌଣସି କ୍ଷତି କରିବାକୁ ଦେଇ ନଥିଲେ। ତେବେ ୧୭.୧ ଓଭର୍ରେ ଡୁପ୍ଲେସିସ ୮୮ ରନ୍ କରି ଅର୍ଶଦୀପଙ୍କ ବଲରେ ଆଉଟ ହୋଇଯାଇଥିଲେ। ୫୭ ବଲରେ ୮୮ ରନ୍ର ଇନିଂସ ଖେଳିଥିବା ଫାଫ ୭ଟି ଛକା ଓ ୩ଟି ଚୌକା ମାରିଛନ୍ତି। ସେ ଆଉଟ ହେବା ପରେ ମଧ୍ୟ ଆରସିବିର ରନ୍ ସଂଗ୍ରହ ହାରରେ ବ୍ରେକ ଲାଗି ନଥିଲା। ଦୀନେଶ କାର୍ତ୍ତିକ କ୍ରିଜ୍କୁ ଆସିବା କ୍ଷଣି ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ବିରାଟ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। କାର୍ତ୍ତିକ ଶେଷ ଯାଏ ୧୪ ବଲରେ ୩୨ ରନ୍ ଓ ବିରାଟ ୪୧ ରନ୍ କରି ଅପରାଜିତ ରହିଥିଲେ। କାର୍ତ୍ତିକ ୩ଟି ଛକା ଓ ୩ଟି ଚୌକା ମାରିଛନ୍ତି। ଏହି ଇନିଂସ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୫ ରନ୍ କରିଛି।