ଆଇପିଏଲ୍-୨୦୨୨ : କୋଲକାତା ବିପକ୍ଷରେ ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି
ମୁମ୍ବାଇ : ଆଇପିଏଲ୍-୨୦୨୨ର ୫୬ତମ ଲିଗ୍ ମୁକାବିଲାରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ । ଏହି ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ନାଇଟ୍ ରାଇଡର୍ସ ପାଇଁ ବିଜୟ ଜରୁରୀ ରହିଥିବାରୁ ଆଜିର ମ୍ୟାଚ୍ରେ ସବୁ ଶକ୍ତି ଖଟାଇବାକୁ ଲକ୍ଷ୍ୟ ରଖିଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ ଦୌଡରୁ ବାଦ ପଡ଼ି ସାରିଥିବାରୁ କେବଳ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ପ୍ରୟାସ କରିବ । ତେବେ ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ମୁମ୍ବାଇକୁ ଜୋରଦାର ଝଟକା ଲାଗିଛି। ଆହତଜନିତ ସମସ୍ୟା କାରଣରୁ ସୂର୍ଯ୍ୟକୁମାର ଯାଦବ ଚଳିତ ଆଇପିଏଲର ଅବଶିଷ୍ଟ ମୁକାବିଲାରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ରମଣଦୀପ ସିଂହଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ସେହି ପରି କୋଲକାତା ନାଇଟ୍ ରାଇଡର୍ସ ପାଞ୍ଚଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି। ଆଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ବରୁଣ ଚକ୍ରବର୍ତ୍ତୀ, ପାଟ୍ କମିନ୍ସ ଏବଂ ସେଲଡନ ଜ୍ୟାକ୍ସନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।
ମ୍ୟାଚ୍କୁ ନେଇ ଉତ୍କଣ୍ଠା ନାହିଁ । ତଥାପି ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ନାଇଟ ରାଇଡର୍ସ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା । ପ୍ୟାଟ୍ କମିନ୍ସ ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ । ଏଥର ନାଇଟ୍ ରାଇଡର୍ସ ଉପରେ ବାଜି ଲଗାଇବା ମଧ୍ୟ ଭୁଲ ସାବ୍ୟସ୍ତ ହୋଇପାରେ । ଦଳର ପ୍ରଦର୍ଶନରେ ଅବନତି ହୋଇଛି । ଓପନିଂ ବିଭାଗ ବିଫଳ ହେଉଥିବାରୁ ନାଇଟ ରାଇଡର୍ସ ୭ଟି ମ୍ୟାଚ୍ ପରାଜିତ ହୋଇ ସାରିଛି । ମୁମ୍ବାଇ ଇଣ୍ଡିଆନ୍ସ କ୍ରମାନ୍ୱୟରେ ୮ଟି ମ୍ୟାଚ୍ ପରାଜିତ ହେବା ପରେ ୨ଟି ମ୍ୟାଚ୍ ଜିତିଛି । ଅଧିନାୟକ ରୋହିତ ଶର୍ମା ମଧ୍ୟ ଫର୍ମକୁ ଫେରିଛନ୍ତି। ଦୁଇ ବିଫଳ ଅଲ୍ରାଉଣ୍ଡର ଟିମ ଡେଭିଡ୍ ଓ ଡାନିଏଲ୍ ସାମ୍ସ ଦଳକୁ ଜିତାଇବାର କ୍ଷମତା ରଖିଥିବା ପ୍ରମାଣିତ କରିସାରିଛନ୍ତି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମୋଟ୍ ୩୦ଟି ମ୍ୟାଚ୍ରୁ ମୁମ୍ବାଇ ଇଣ୍ଡିଆନ୍ସ ୨୨ଟି ମ୍ୟାଚ୍ ଜିତିଛି । ତେଣୁ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିବ ।
କୋଲକାତା ନାଇଟ୍ ରାଇଡର୍ସ :
ଆଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ଶ୍ରେୟସ ଆୟର (ଅଧିନାୟକ), ନୀତୀଶ ରାଣା, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଶେଲଡନ ଜ୍ୟାକସନ (ଓ୍ଵିକେଟ୍ କିପର), ପ୍ୟାଟ କମିନ୍ସ, ଟିମ ସାଉଦି, ବରୁଣ ଚକ୍ରବର୍ତ୍ତୀ।
ମୁମ୍ବାଇ ଇଣ୍ଡିଆନ୍ସ :
ଇଶାନ କିଷନ (ଓ୍ଵିକେଟ୍ କିପର), ରୋହିତ ଶର୍ମା (ଅଧିନାୟକ), ତିଲକ ବର୍ମା, ଟିମ ଡେଭିଡ, କିରଣ ପୋଲାର୍ଡ, ରମଣଦୀପ ସିଂ, ଡାନିଏଲ ସାମ୍ସ, ମୁରୁଗାନ ଅଶ୍ୱିନ, କୁମାର କାର୍ତ୍ତିକେୟ, ଯଶପ୍ରୀତ ବୁମରା, ରେଲି ମେରେଡିଥ।