ଆଇପିଏଲ୍-୨୦୨୨ : ଆଜି କୋଲକାତା-ହାଇଦ୍ରାବାଦ ମୁକାବିଲା
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ର ୬୧ତମ ଲିଗ୍ ମୁକାବିଲାରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଉଭୟ ନିକଟରେ ପ୍ଲେ-ଅଫ୍କୁ ପ୍ରବେଶ କରିବା ପାଇଁ ଏବେବି ସମୟ ରହିଛି ।
୧୨ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ହାସଲ କରିଥିବା ନାଇଟ ରାଇଡର୍ସ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି । ସନରାଇଜର୍ସ ବିପକ୍ଷରେ ପରାଜିତ ହେଲେ ପ୍ଲେ-ଅଫ୍ ଦୌଡରୁ ବାଦ ପଡ଼ିବ । ଶେଷ ମ୍ୟାଚ ଜିତିଲେ ମଧ୍ୟ ୧୨ ପଏଣ୍ଟ ସହ ପ୍ଲେ-ଅଫ୍ରେ ପ୍ରବେଶ କରିହେବ ନାହିଁ । ତେଣୁ ମ୍ୟାଚ୍ରେ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରି ନାଇଟ୍ ରାଇଡର୍ସ ବିଜୟ ପାଇଁ ପ୍ରୟାସ କରିବ । ବିଶେଷ କରି ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ବୋଲିଂ ବିଭାଗ ସୁଦୃଢ ରହିଛି । ଷ୍ଟାର ବୋଲର ପ୍ୟାଟ୍ କମିନ୍ସ ଆହତ ହୋଇ ଆଇପିଏଲ୍ ବାକି ଭାଗରୁ ଓହରି ଯାଇଛନ୍ତି । ତାଙ୍କ ଅନୁପସ୍ଥିତିରେ ଉମେଶ ଯାଦବଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରିବ ।
ସନରାଇଜର୍ସ ୧୧ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ହାସଲ କରିଛି । ଆଗକୁ ଦଳ ଆଉ ୩ଟି ଲିଗ୍ ମ୍ୟାଚ୍ ଖେଳିବ । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ସନଜରାଇଜର୍ସକୁ ମାକି ମ୍ୟାଚ୍ ଗୁଡିକ ଜିତିବାକୁ ହେବ । ଏପଟେ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି । ଦଳର ଦୁଇ ପ୍ରମୁଖ ବୋଲର ୱାସିଂଟନ ସୁନ୍ଦର ଓ ଟି ନଟରାଜନ ଆହତ ଅଛନ୍ତି । ଏମାନଙ୍କ ଅନୁପସ୍ଥିତିରେ ସନରାଇଜର୍ସ ଶେଷ ୪ଟି ମ୍ୟାଚ୍ ପରାଜିତ ହୋଇଛି । ଅବଶ୍ୟ ଆଜିର ମ୍ୟାଚ୍ରେ ଉଭୟ ଫିଟ୍ ଘୋଷିତ ହୋଇ ଖେଳିବେ ବୋଲି ଆଶା କରାଯାଉଛି ।