ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ; ଭାରତରେ ବଢୁଛି ଅନାହାର ଯନ୍ତ୍ରଣା
୧୯୮୭ ପ୍ରତି ବର୍ଷ ଅକ୍ଟୋବର ୧୭ତାରିଖରେ ପାଳିତ ହେଉଛି ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ । ଦାରିଦ୍ର୍ୟ, କ୍ଷୁଧା, ହିଂସା ଓ ଭୟ ଦୂର କରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ୧୯୮୭ରେ ଫାଦର ଜୋସେଫ୍ ରିସିନସ୍କିଙ୍କ ନେତୃତ୍ୱରେ ପାରିସରେ ଏକ ଲକ୍ଷ ଲୋକ ଏକତ୍ର ହୋଇ, ଏହି ଦିବସ ପାଳନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥିଲେ । ଲୋକ-ଦରିଦ୍ର, ହିଂସା-ଭୟ ନଥିବା ସମାଜ ଦେଖିବା ପ୍ରତ୍ୟେକ ମଣିଷର ସ୍ୱପ୍ନ । ଏହା ଏକ ମାନବିକ ଅଧିକାର ମଧ୍ୟ । ତେଣୁ ପ୍ରତ୍ୟେକ ମଣିଷ ଏ ବାବଦରେ ସଚେତନ ହେବା ଉଚିତ । ଫାଦର ଜୋସେଫ୍ଙ୍କ ପରଲୋକର ଚାରି ବର୍ଷ ପରେ ଜାତି ସଂଘ ଏହି ଦିବସ ପାଳନକୁ ଅନୁମୋଦନ ଦେଇଥିଲା । ଫାଦର୍ ଜୋସେଫ ଭଲ ଭାବେ ବୁଝିଥିଲେ ଯେ, କୌଣସି ଦେଶର ସରକାର ଆନ୍ତରିକ ଭାବେ ଦାରିଦ୍ର୍ୟର ଦୂରୀକରଣ ଚାହାଁନ୍ତି ନାହିଁ । ତେଣୁ ବିଶ୍ୱର ବହୁ ବିଧ ବିକାଶ ସତ୍ୱେ ଏହି ପୁରାତନ ସାମାଜିକ ବ୍ୟାଧି ବଞ୍ôଚରହିଛି । ନ ହେଲେ, ଆମେରିକା ଭଳି ବିତଶାଳୀ ରାଷ୍ଟ୍ରରେ ମଧ୍ୟ ଲୋକେ ଭିକ ମାଗନ୍ତେ କି? ତେଣୁ, ଏହି ବ୍ୟାଧିର ମୂଳୋତ୍ପାଟନ ଲାଗି ସାରା ବିଶ୍ୱର ମଣିଷ ଏକ ହେବାକୁ ସେ ଆହ୍ୱାନ ଦେଇଥିଲେ ।
ଅକ୍ଟୋବର ୧୬ ସମଗ୍ର ପୃଥିବୀରେ ପାଳିତ ହୋଇଛି ବିଶ୍ୱ ଖାଦ୍ୟ ଦିବସ । ବିଶ୍ୱକୁ ଅନାହାର ଓ ଅପପୁଷ୍ଟି ମୁକ୍ତ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ । କିନ୍ତୁ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଏହି ସଂକଟରୁ କୌଣସି ଦେଶ ମୁକ୍ତ ନୁହନ୍ତି । ବିକଶିତ, ବିକାଶଶୀଳ ଓ ତୃତୀୟ ବିଶ୍ୱର ଦେଶଗୁଡ଼ିକ ମଧ୍ୟ ଅନାହାର, ଅର୍ଦ୍ଧାହାର, ଅପପୁଷ୍ଟି ଭଳି ସାମାଜିକ ବ୍ୟାଧିରେ ଜର୍ଜରିତ । ଭାରତକୁ ଦେଖିଲେ ଏହି ବିକାଶଶୀଳ ରାଷ୍ଟ୍ରରେ ବଢ଼ୁଛି ଅନାହାର ପେଟର ଯନ୍ତ୍ରଣା । ଶିଳ୍ପ ପ୍ରଗତିର କଥା, ଅତ୍ୟାଧୁନିକ ନୂତନ ଭାରତ ନିର୍ମାଣର ପ୍ରୟାସ, ସୁଦିନର ସ୍ଲୋଗାନବାଜି ଆଢ଼ୁଆଳରେ ଲୁଚି ଯାଉଛି ଭୋକର ଭୂଗୋଳ ଏବଂ ଚପିଯାଉଛି ଅନାହାର, ଅର୍ଦ୍ଧାହାର ପୀଡ଼ିତଙ୍କ ଭାଗ୍ୟ । ଇଣ୍ଟରନ୍ୟାସନାଲ ଫୁଡ଼ ପଲିସି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରୁ ଭାରତରେ କ୍ଷୁଧାର ଛବି ସ୍ପଷ୍ଟ ହୋଇଛି ।
ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ତିନିବର୍ଷ ମଧ୍ୟରେ ଭାରତ କ୍ଷୁଧା ଓ ଅପପୁଷ୍ଟିରେ ପୂର୍ବାପେକ୍ଷା ୪୫ ଅଙ୍କ ତଳକୁ ଖସି ଆସିଛି । ୧୧୯ ଦେଶକୁ ନେଇ ସମୀକ୍ଷା କରାଯାଇ ପ୍ରକାଶ କରାଯାଇଥିବା ଜିଏଚ୍ଆଇ ରିପୋର୍ଟରେ ଭାରତ ଏହି ତାଲିକାରେ ୧୦୦ ସ୍ଥାନରେ ରହିଛି । ଏ ଦେଶରେ ପ୍ରତିଦିନ ରାତିରେ ଖାଲିପେଟରେ ଶୋଉଥିବା ଶିଶୁମାନଙ୍କ ସଂଖ୍ୟା ଗତ ତିନିବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଅନେକ । ଏଠାରେ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରୁ ପ୍ରତି ପାଞ୍ଚ ଜଣରେ ଜଣେ ପିଲାର ଓଜନ ତାର ଉଚ୍ଚତା ତୁଳନାରେ ଯଥେଷ୍ଟ କମ୍ । ପ୍ରତି ତିନିଜଣରେ ଜଣଙ୍କର ବୟସ ଅନୁପାତରେ ଅଭିବୃଦ୍ଧି ଘଟୁନାହିଁ । ଗତ ୨୫ ବର୍ଷ ଧରି ଏହି ସମସ୍ୟାରେ କବଳିତ ଭାରତର ଶୈଶବ । ଅନ୍ତର୍ଜାତୀୟ ରିପୋର୍ଟକୁ ଦେଖି ବିଶେଷଜ୍ଞମାନେ କହିଲେଣି ପରିସ୍ଥିତି କେବଳ ଉଦ୍ବେଗଜନକ ନୁହେଁ, ଅତ୍ୟନ୍ତ ଗୁରୁତର ମଧ୍ୟ । ଅତୀତକୁ ଦେଖିଲେ ୨୦୧୪ରେ ବିଶ୍ୱ କ୍ଷୁଧା ସୂଚକାଙ୍କର ସମଗ୍ର ବିଶ୍ୱରେ ଭାରତର ସ୍ଥାନ ଥିଲା ୫୫ । କିନ୍ତୁ ୨୦୧୭ରେ ଏହି ତାଲିକାର ୧୦୦ ତମ ସ୍ଥାନକୁ ଚାଲି ଆସିଲା ଭାରତ । ବ୍ରିକ୍ସ ଅନ୍ତର୍ଭୁକ୍ତ ଦେଶ ଗୁଡ଼ିକ ତଳେ ରହିଯାଇଛି ଭାରତ । ଦକ୍ଷିଣ-ପୂର୍ବ ଏସିଆର ଯୁଦ୍ଧ ବିଧ୍ୱସ୍ତ ଇରାକ (୭୮) ଯୁଦ୍ଧଂଦେହି ଡାକରା ଦେଉଥିବା କିମ୍ ଜିଙ୍ଗ ଉନ୍ଙ୍କ ଉତର କୋରିଆ (୯୩) ଏପରି କି ଭୂକମ୍ପ ପ୍ରପୀଡ଼ିତ ପଡ଼ୋଶୀ ରାଷ୍ଟ୍ର ନେପାଳ (୭୨) ଏବଂ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବାଙ୍ଗଲାଦେଶ (୮୮) ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତକୁ ପଛରେ ପକାଇ ପ୍ରଗତିର ପରିଚୟ ଦେଇପାରିଛନ୍ତି । ସାନ୍ତ୍ୱନା ଏତିକି ଯେ, ଭାରତ ତଳକୁ ରହିଛି ପାକିସ୍ତାନ (୧୦୬), ଆଫଗାନିସ୍ତାନ (୧୦୭) ଏବଂ ସେଣ୍ଟ୍ରାଲ ଆଫ୍ରିକାନ୍ ରିପବ୍ଲିକ୍ (୧୧୯) । ତାଲିକାର ନିମ୍ନରେ । ଇଣ୍ଟରନ୍ୟାସନାଳ ଫୁଡ ପଲିସି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟର ଦକ୍ଷିଣ ଏସୀୟ ମୁଖ୍ୟ ପି.କେ. ଯୋଶୀଙ୍କ କହିବା ଅନୁସାରେ ସମସ୍ତଙ୍କୁ ପୋଷଣ ଲକ୍ଷ୍ୟ ନେଇ ଭାରତରେ ଯେତେବେଳେ ପ୍ରକଳ୍ପ କାର୍ଯ୍ୟ କରାଗଲେ ମଧ୍ୟ ମରୁଡ଼ି ଓ ଢ଼ାଞ୍ଚାଗତ ତ୍ରୁଟି କାରଣରୁ ଗରିବ ଜନତାର ସିଂହଭାଗ ମଧ୍ୟରେ ଅନାହାରଜନିତ ଅପପୁଷ୍ଟି ରହିଯାଉଛି । ଅନାହାର ସମସ୍ୟା ନେଇ କାର୍ଯ୍ୟରତ ଏକ ଅନ୍ତର୍ଜାତୀୟ ସଂସ୍ଥାର ଭାରତ ଶାଖା ମୁଖ୍ୟ ନିବେଦିତା ବନ୍ଦ୍ରେୟାର ଖେଦ କୁହନ୍ତି, କେବଳ ଜିଡ଼ିପି ବୃଦ୍ଧି କରି ଦେଶରେ ଲୋକମାନଙ୍କର ଖାଦ୍ୟ ନିରାପତାକୁ ସୁନିଶ୍ଚିତ କରାଯାଇ ପାରିବନାହିଁ । ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ଏହା ଦେଶର ୧୧ତମ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଭାବେ ପରିଗଣିତ । ୪ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏଠାରେ ବସବାସ କରୁଛନ୍ତି । ୨୦୦୫ ମସିହାରେ ଦାରିଦ୍ର୍ୟ ହାର ଖସି ଆସିଥିଲେ ମଧ୍ୟ ଗରିବଙ୍କ ସଂଖ୍ୟା ଅନେକ ରହିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକର ଲୋକେ ଖାଦ୍ୟ ଓ ପରିବାରର ଗୁଜରାଣ ମେଂଟାଇବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚଲିଯାଉଥିବା ପ୍ରାୟତଃ ଦେଖିବାକୁ ମିଳୁଛି । ଓଡ଼ିଶାରେ ପ୍ରାୟ ୧ କୋଟି ୪୦ ଲକ୍ଷ ଗରିବ ଥିବା ଆକଳନ କରାଯାଇଛି । ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୧୯-୨୦ ଅନୁଯାୟୀ ରାଜ୍ୟରେ ଦାରିଦ୍ର୍ୟ ହାରରେ ୨୪.୬୧ ପ୍ରତିଶତ ହ୍ରାସ ପାଇଛି । ଏହା ୨୦୦୪-୦୫ରେ ୫୭.୨୦% ଥିବା ବେଳେ ୨୦୧୧-୧୨ ରେ ୩୨.୫୯% ରହିଥିଲା । ଅନ୍ୟ ରାଜ୍ୟଗୁଡ଼ିକ ଏପରିକି ଦେଶ ତୁଳନାରେ ଏଠାରେ ଦାରିଦ୍ର୍ୟର ସର୍ବୋଚ୍ଚ ହ୍ରାସ ଘଟିଛି । ଏହି ସମୟରେ ଭାରତରେ ଦାରିଦ୍ର୍ୟରେ ୧୫ ପ୍ରତିଶତ ହ୍ରାସ ଘଟିଥିଲା । ତେବେ ୨୦୧୬-୧୭ରେ ରାଜ୍ୟର ଅଭିବୃଦ୍ଧି ହାର ୭.୯୪ ପ୍ରତିଶତ ରହିବ ବୋଲି ଅର୍ଥନୈତିକ ସର୍ଭେରେ ଆକଳନ କରାଯାଇଛି । ୨୦୧୫-୧୬ରେ ରାଜ୍ୟର ଅଭିବୃଦ୍ଧି ହାର ୬.୦୧ ପ୍ରତିଶତ ଥିଲା । ତେବେ ବିମୁଦ୍ରୀକରଣ ଯୋଗୁ ରାଜ୍ୟର ଅର୍ଥନୀତି ମନ୍ଥର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।