ଭାରତ ଓ ଇଂଲଣ୍ଡ ପ୍ରଥମ ଟେଷ୍ଟ : ଭାରତ ୧୨୫/୪
ନଟ୍ଟିଂହାମ୍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ବର୍ଷା ବାଧାପ୍ରାପ୍ତ ହୋଇଛି । ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିବସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଭଲ ଆରମ୍ଭ କରିଥିଲେ, କିନ୍ତୁ ମିଡଲ୍ ଅର୍ଡରରେ ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଛି । ଭାରତ ୪ ୱିକେଟ୍ ହରାଇ ୧୨୫ ରନ୍ କରିଥିବା ବେଳେ ବର୍ଷା ଯୋଗୁ ଖେଳ ବନ୍ଦ ରହିଛି । ଏହି ସମୟରେ ରାହୁଲ୍ (୫୭) ଓ ଋଷଭ ପନ୍ତ (୭) ବ୍ୟାଟିଂ କରୁଥିଲେ । ଭାରତ ଏବେବି ପ୍ରଥମ ଇନିଂସରେ ୫୮ ରନରେ ପଛୁଆ ରହିଛି ।
ବୋଲରଙ୍କ ଘାତକ ପ୍ରଦର୍ଶନ ବଳରେ ଭାରତ ଘରୋଇ ଦଳକୁ ପ୍ରଥମ ଇନିଂସରେ ୧୮୩ ରନରେ ସୀମିତ ରଖିଥିଲା । ଜବାବେର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିନା ୱିକେଟରେ ୨୧ ରନ୍ କରିଥିଲା । ଆଜି ଏହିଠାରୁ ଭାରତ ଖେଳ ଆରମ୍ଭ କରିଥିଲେ । ରୋହିତ୍ ଓ ରାହୁଲ୍ ଆରମ୍ଭରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ଭାରତକୁ କୌଣସି କ୍ଷତି ସହିବାକୁ ଦେଇନଥିଲେ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୯୭ ରନ୍ ଯୋଡ଼ିଥିଲେ । ରୋହିତ୍ ବ୍ୟକ୍ତିଗତ ୩୬ (୬ ଚୌକା) ରନ୍ କରିଥିବା ବେଳେ ଓଲି ରବିନସନଙ୍କ ବଲରେ ପୁଲ୍ ଶଟ୍ ମାରିବାକୁ ଯାଇ ସ୍କୋୟାର୍ ଲେଗରେ ସାମ୍ କୁରାନଙ୍କ ଦ୍ୱାରା ଧରା ପଡ଼ିଥିଲେ । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା (୪) ନିରାଶ କରିଥିଲେ । ପୂଜାରାଙ୍କୁ ଇଂଲଣ୍ଡର ଅଭିଜ୍ଞ ପେସର୍ ଜେମ୍ସ ଆଣ୍ଡରସନ୍ ପ୍ୟାଭିଲିୟନ୍ ପଠାଇଥିଲେ । ପୂଜାରାଙ୍କ ଆଉଟ୍ ହେବାର ପରବର୍ତୀ ବଲରେ ହିଁ ଆଣ୍ଡରସନ୍ ଭ୍ରମଣକାରୀ ଦଳର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମଧ୍ୟ ନିଜର ଶିକାର ବନାଇଥିଲେ । କୋହଲି ମ୍ୟାଚରେ ନିଜର ପ୍ରଥମ ବଲରେ ହିଁ ଆଉଟ୍ ହୋଇଥିଲେ । ଟିମର ଭାଇସ୍ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ (୫) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ । ଏହିପରି ଭାବେ ୧୫ ରନ୍ ଭିତରେ ଭାରତର ୪ ୱିକେଟ୍ ନେଇ ଇଂଲଣ୍ଡ ମ୍ୟାଚକୁ କମବ୍ୟାକ୍ କରିଛି । ଏବେ ରାହୁଲ୍ ଓ ପନ୍ତଙ୍କ ଉପରେ ଟିମର ବ୍ୟାଟିଂ ନିର୍ଭର କରିବ । ଦୁହେଁ ଅତି କମରେ ଭାରତକୁ ପ୍ରଥମ ଇନିଂସ୍ ଲିଡ୍ କରିବାକୁ ଚାହିଁବେ । ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍ ୨ଟି ଓ ରବିନସନ୍ ଗୋଟିଏ ୱିକେଟ୍ ନେଇଛନ୍ତି ।