ଗୋଗ୍ରା ହାଇଟ୍ରୁ ସୈନ୍ୟ ପ୍ରତ୍ୟାହାର କଲେ ଭାରତ-ଚାଇନା
ଲଦାଖ : ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଏକ ଭଲ ଖବର ଆସିଛି । ପୂର୍ବ ଲଦାଖର ଗୋଗ୍ରା ହାଇଟ୍ ଅଞ୍ଚଳରୁ ଶୁକ୍ରବାର ହଟିଲେ ଭାରତ ଏବଂ ଚୀନ୍ ସେନା । ନିକଟରେଚୀନ୍ ସୀମା ଲାଇନ୍ ଅଫ୍ ଆକ୍ଚ୍ୟୁାଲ୍ କଣ୍ଟ୍ରୋଲ୍ର ମୋଲ୍ଡୋ ଠାରେ ହୋଇଥିବା ୧୨ତମ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଦେଶ ଆଗକୁ ଆସିଛନ୍ତି। ସେହିପରି ଏଠାରେ ଥିବା ଅସ୍ଥାୟୀ ନିର୍ମାଣ କ୍ୟାମ୍ପଗୁଡ଼ିକୁ ମଧ୍ୟ ଉଚ୍ଛେଦ କରିଥିବାର ଜଣାପଡିଛି ।
ପୂର୍ବ ଲଦାଖର ପେଟ୍ରୋଲ୍ ପଏଣ୍ଟ୍ ୧୭ଏ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହର କରାଯାଇଛି । ଏହି ସ୍ଥାନକୁ ନେଇ ଗତ ଏକ ବର୍ଷରୁ ଅଧିକ ସମୟ ହେବ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା । ଉକ୍ତ ଅଞ୍ଚଳରେ ଦୁଇ ଦେଶ ଗଢ଼ିଥିବା ଅସ୍ଥାୟୀ ନିର୍ମାଣକୁ ମଧ୍ୟ ଚିହ୍ନଟ କରାଯାଇଛି । ଦୁଇ ପକ୍ଷର ମିଳିତ ପ୍ରୟାସରେ ଏବଂ ଉଭୟଙ୍କ ସହମତିରେ କରାଯାଇଥିବା ନିର୍ମାଣକୁ ଭଙ୍ଗାଯାଇଛି । ସେହିପରି ଆର୍ମି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ଉକ୍ତ ଅଞ୍ଚଳରେ ତିଆରି ହୋଇଥିବା ଅସ୍ଥାୟୀ କ୍ୟାମ୍ପ ଓ ଅନ୍ୟାନ୍ୟ ଜିନିଷକୁ ଉଭୟ ଦେଶ ହଟାଇ ଦେଇଛନ୍ତି। ସେହିପରି ଏହି ଉଚ୍ଛେଦ କାମ ଉଭୟ ଦେଶ ପରସ୍ପରର ସହଯୋଗରେ ଯାଞ୍ଚ କରିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଥିବା ସ୍ଥିତାବସ୍ଥା ଫେରାଇ ଆଣିବାକୁ ଭାରତ ଓ ଚାଇନା କାମ କରୁଛନ୍ତି।