ବଢ଼ିଲା ଶକ୍ତି, ଭୟରେ ଥରିବେ ଶତ୍ରୁପକ୍ଷ : ଆସନ୍ତା ମାସରେ ଭାରତ ଆସୁଛି ଏସ୍-୪୦୦ ମିସାଇଲ୍
ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତ ଆସୁଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଘାତକ ଅସ୍ତ୍ର ଏସ୍-୪୦୦ ମିସାଇଲ୍। ଆାଗମୀ ମାସରେ ଭାରତକୁ ଋଷିଆରୁ ଆସି ପହଞ୍ଚିବ । ଏହା ଏପରି ଏକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯାହା ଭାରତର ସୁରକ୍ଷାକୁ ଆହୁରି ମଜଭୁତ କରିବ। ୧୫ ଅକ୍ଟୋବାର ୨୦୧୬ରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଲାଗି ଭାରତ ଓ ଋଷିଆ ମଧ୍ୟରେ ସରକାରୀ ସ୍ତରରେ ବୁଝାମଣା ହୋଇଥିଲା। ଏହା ଅନୁନ୍ୟ ୪୦ ହଜାର କୋଟି ଟଙ୍କାର କାରବାର ହୋଇଥିବା ବେଳେ ପ୍ରାୟ ୫ ବର୍ଷ ପରେ ଭାରତକୁ ଏହି ପ୍ରତିରକ୍ଷା ପ୍ରଣାଳୀ ମିଳିବାକୁ ଯାଉଛି।
ସେନାକୁ ମିଳିବ ଋଷର ଘାତକ ମିସାଇଲ୍ ସିଷ୍ଟମ ଏସ୍-୪୦୦। ଫଳରେ ଭୟରେ ଥରିବେ ଶତ୍ରୁପକ୍ଷ। ଏସ-୪୦୦ ମିଜାଇଲ ଡିଫେନ୍ସ ସିଷ୍ଟମକୁ ବିଶ୍ୱର ସବୁଠୁ ସଫଳ ଏୟାର ଡିଫେନ୍ସ ସିଷ୍ଟମ ବୋଲି କୁହାଯାଉଛି। ଏହା ଏକ ମୋବାଇଲ ପ୍ରଣାଳୀ, ଅର୍ଥାତ ଏହାକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସହଜରେ ପରିବହନ କରିନେଇ ହେବ। ଏହି ପ୍ରଣାଳୀ ଏକ ବିଶାଳ ଟ୍ରକରେ ରାଡାର ଓ ମିସାଇଲ ଲଞ୍ଚର ସହ ଫିଟ ରହିଥାଏ। ମାତ୍ର କିଛି ମିନିଟ୍ରେ ସମ୍ପୂର୍ଣ୍ଣ ସିଷ୍ଟମକୁ ଆକ୍ରମଣ ଲାଗି ସଚଳ କରିଦିଆଯାଇପାରେ। ଏଥିରେ ଖାସ୍ ୯୨ଏନ୬ଇ ଇଲେକ୍ଟ୍ରୋନିକାଲି ଷ୍ଟିୟରଫେଜଡ୍ ଏରୋ ରାଡାର ରହିଛି। ଯାହା ୬୦୦ କିଲୋମିଟର ଦୂରରୁ ୩୦୦ ଲକ୍ଷକକୁ ଏକକାଳୀନ ସନ୍ଧାନ କରିପାରେ। ଏହି ସବୁ ଲକ୍ଷକୁ ଧ୍ୱଂସ କରିବା ଲାଗି ସିଷ୍ଟମ ପୃଥକ ପୃଥକ ୪ଟି ମିସାଇଲର ଉପଯୋଗ ମଧ୍ୟ କରିପାରେ। ନାମ ଅନୁସାରେ ପ୍ରତ୍ୟେକ ଏସ-୪୦୦ ସିଷ୍ଟମରେ ୪ଟି ପୃଥକ ମିସାଇଲ ରହିବାର ବ୍ୟବସ୍ଥା ରହିଛି। ଏଥିରେ ପ୍ରଥମ କ୍ଷେପଣାସ୍ତ୍ର ୪୦୦ କିମି ଦୁର, ଦ୍ୱିତୀୟ ୨୦୦ କିମି ,ତୃତୀୟ ୧୦୦ କିମି ଓ ଚତୁର୍ଥ ୪୦ କିମି ଦୂରରେ ଲକ୍ଷକୁ ନଷ୍ଟ କରିପାରିବ। ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଆକ୍ରମଣରୁ କୌଣସି ଟାର୍ଗେଟ ବର୍ତ୍ତିବା ପ୍ରାୟ ଅସମ୍ଭବ। ଏହା ଛଡା ପୃଥିବୀ ପୃଷ୍ଠରେ ୧୦୦ ଫୁଟରୁ ଆରମ୍ଭ କରି ୪୦ ହଜାର ଫୁଟ ଉଚ୍ଚତାରେ ଟାର୍ଗେଟକୁ ଧ୍ୱଂସ କରିପାରିବ। ଏହି ସିଷ୍ଟମ ଏକକାଳୀନ ଅନେକ ବିମାନ ଆକ୍ରମଣର ଜବାବ ମଧ୍ୟ ଦେଇପାରିବ। ଏଥିରେ ଯୁଦ୍ଧବିମାନରୁ ଆରମ୍ଭ କରି କ୍ରୁଜ କ୍ଷେପଣାସ୍ତ୍ରର ବି ମୁକାବିଲା ସମ୍ଭବ। ଏହା ଛଡା ଏସ-୪୦୦ ଇଲେକ୍ଟ୍ରୋନିକ୍ ଜାମିଙ୍ଗକୁ ମଧ୍ୟ ଭାଙ୍ଗିପାରିବ।
ସୂଚନା ଯେ, ‘ଏସ୍-୪୦୦’ ଯୋଗାଣ ନିମନ୍ତେ ୨୦୧୮ ଅକ୍ଟୋବରରେ ରୁଷ୍ ଓ ଭାରତ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଋଷ ସହିତ ଦୀର୍ଘ ଦିନ ଧରି ପ୍ରତିରକ୍ଷା ସମ୍ପର୍କ ପାଇଁ ଭାରତ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲା। ଏହା ଅଧୀନରେ, ଏସ-୪୦୦ ପାଇଁ ୫.୪ ବିଲିୟନ ଡ଼ଲାରର ଚୁକ୍ତି ହୋଇଥିଲା। ଏହାପୂର୍ବରୁ ଅଗଷ୍ଟରେ ଋଷର ରାଜ୍ୟ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ରୋଜୋବୋରୋନେକ୍ସପୋର୍ଟର ମୁଖ୍ୟ ଆଲେକ୍ସଜାଣ୍ଡାର୍ ମିଖେଭ୍ ସ୍ପୁଟ୍ନିକକୁ କହିଥିଲେ ଯେ ମଧ୍ୟ ପୂର୍ବ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଏବଂ ଆଫ୍ରିକାର ସାତୋଟି ଦେଶ ସହିତ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଣ ଉପରେ ଆଲୋଚନା ଚାଲିଛି।ଏସ୍-୪୦୦ ମିସାଇଲ୍ ସିଷ୍ଟମର ବ୍ୟବହାର ପୂର୍ବରୁ ଚୀନ୍ ଏବଂ ତୁର୍କୀ ଦ୍ୱାରା କରାଯାଉଛି। ଋଷ ଦ୍ୱାରା ତିଆରି ହୋଇଥିବା ଏହି ଘାତ ଏସ୍-୪୦୦ ମିସାଇଲ୍ ସିଷ୍ଟମ ସବୁଠାରୁ ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଅଟେ। ଏହା ୪୦୦ କିଲୋମିଟର ସୀମା ଭିତରେ ଶତ୍ରୁ ପକ୍ଷର ଯେକୌଣସି ବିମାନ, ମାସାଇଲ ଏପରିକି ଡ୍ରୋନ୍କୁ ମଧ୍ୟ ନଷ୍ଟ କରିପାରିବାରେ ସକ୍ଷମ। ଏହାର ଟ୍ରାକିଂ କ୍ଷମତା ପ୍ରାୟ ୬୦୦ କିଲୋମିଟର । ପ୍ରାୟ ୪୦୦ କିଲୋମିଟର ବ୍ୟାସାର୍ଦ୍ଧରେ ବାୟୁରେ ଶତ୍ରୁ ପକ୍ଷର ଲୁକ୍କାୟିତ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ଏହି ସିଷ୍ଟମକୁ ତିଆରି କରାଯାଇଛି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ହାଇପରସୋନିକ୍କୁ ଟାର୍ଗେଟ୍ କରି ମାରିବାରେ ମଧ୍ୟ ଏହା ସକ୍ଷମ ।