ବିସିସିଆଇ କର୍ମକର୍ତ୍ତାଙ୍କ ଭତ୍ତାରେ ବୃଦ୍ଧି : ବିଦେଶ ଗସ୍ତରେ ଦିନ ପିଛା ୧ ହଜାର ଡଲାର ଓ ଭାରତରେ ମିଳିବ ୪୦ ହଜାର
ମୁମ୍ବାଇ : ବିସିସିଆଇ କର୍ମକର୍ତ୍ତାଙ୍କ ଭତ୍ତାରେ ବୃଦ୍ଧି । ଏଣିକି ବିସିସିଆଇର କର୍ମକର୍ତ୍ତାମାନେ ବିଦେଶ ଗସ୍ତରେ ଗଲେ ଦିନ ପିଛା ୧ହଜାର ଡଲାର ଭତ୍ତା ମିଳିବ । କେବଳ ଏତିକି ନୁହେଁ ଏହି ବୋର୍ଡର କର୍ମକର୍ତ୍ତାମାନଙ୍କୁ ଯିବା ପାଇଁ ପ୍ରଥମ ଶ୍ରେଣୀ ବା ବିଜିନେସ୍ କ୍ଲାସ୍ ଟିକେଟ ଦିଆଯିବ । କର୍ମକର୍ତ୍ତାଙ୍କ ଭତ୍ତା ବୃଦ୍ଧିକୁ ଯଦିଓ ଗତ ଅକ୍ଟୋବରରୁ ଲାଗୁ କରିଦିଆଯାଇଛି, କିନ୍ତୁ ଏହାକୁ ରବିବାର ଆପେକ୍ସ କାଉନସିଲ ବୈଠକର ଅନୁମୋଦନ ମିଳିଛି। ପାଖାପାଖି ୭ ବର୍ଷ ପରେ କର୍ମକର୍ତ୍ତାମାନଙ୍କର ବର୍ଦ୍ଧିତ ଭତ୍ତାକୁ ନିୟମରେ ସଂଶୋଧନ କରାଯାଇଛି। ପୂର୍ବରୁ ବିସିସିଆଇର କର୍ମକର୍ତ୍ତାମାନଙ୍କୁ ବିଦେଶ ଗସ୍ତ ବେଳେ ଦିନ ପିଛା ୭୫୦ ଡଲାର ଭତ୍ତା ମିଳୁଥିଲା। ନୂଆ ନିୟମ ଆସିବା ପରେ କର୍ମକର୍ତ୍ତାମାନଙ୍କୁ ଭାରତ ଭିତରେ କୌଣସି ବୈଠକରେ ଯୋଗଦେବାକୁ ଗଲେ ବିଜିନେସ୍ କ୍ଲାସ୍ ଟିକେଟ ସହିତ ଦୈନିକ ୪୦ ହଜାର ଟଙ୍କା ଭତ୍ତା ମିଳିବ। ଏହାବାଦ୍ କୌଣସି ଅଫିସିଆଲ୍ କାମରେ ଦେଶ ଭିତରେ ଭ୍ରମଣ କରୁଥିଲେ ଦୈନିକ ୩୦ ହଜାର ଟଙ୍କା ଭତ୍ତା ମିଳିବ ବୋଲି ଜଣାପଡ଼ିଛି। ବିଦେଶ ହେଉ କିମ୍ବା ଭାରତରେ କର୍ମକର୍ତ୍ତମାନଙ୍କ ରହଣୀ ପାଇଁ ହୋଟେଲ୍ରେ ସୁଇଟ୍ ବୁକ୍ କରିପାରିବେ।
ଆଇପିଏଲ୍ ଅଧ୍ୟକ୍ଷଙ୍କ ମଧ୍ୟ ବିସିସିଆଇ କର୍ମକର୍ତ୍ତାଙ୍କ ପରି ସମାନ ପରିମାଣର ସୁବିଧା ସୁଯୋଗ ପାଇବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଆପେକ୍ସ କାଉନସିଲ୍ର ସଦସ୍ୟଙ୍କ ସହିତ ଭାରତୀୟ କ୍ରିକେଟର୍ ସଂଘର ଦୁଇ ପ୍ରତିନିଧିଙ୍କୁ ବୋର୍ଡ ବୈଠକ ବେଳେ ଦିନ ପିଛା ୪୦ ହଜାର ଟଙ୍କା ଏବଂ ବିଦେଶ ଗସ୍ତ ବେଳେ ଦିନ ପିଛା ୫୦୦ ଡଲାର ଭତ୍ତା ମିଳିବ। ସେହିପରି ବିସିସିଆଇ ତାହାର ସଦସ୍ୟ ରାଜ୍ୟଗୁଡ଼ିକୁ ମିଳୁଥିବା ଭତ୍ତାରେ ମଧ୍ୟ ପରିବର୍ତ୍ତନ କରିଛି। ସଦସ୍ୟ ରାଜ୍ୟଗୁଡ଼ିକର ପ୍ରତିନିଧି ଦେଶ ଭିତରେ କୌଣସି ବୈଠକ କିମ୍ବା ଅଫିସିଆଲ୍ କାମରେ ଭ୍ରମଣ କରୁଥିଲେ ସେମାନଙ୍କୁ ଦିନ ପିଛା ୩୦ ହଜାର ଟଙ୍କା ଏବଂ ବିଦେଶ ଗସ୍ତ ହେଲେ ଦିନ ପିଛା ୪୦୦ ଡଲାର ଦିଆଯିବ। କ୍ରିକେଟ୍ ପରାମର୍ଶଦାତା ସମିତିର ତିନି ସଦସ୍ୟଙ୍କୁ ବୈଠକ ପିଛା ସାଢେ ୩ ଲକ୍ଷ ଟଙ୍କା ଏବଂ ବିଦେଶ ଗସ୍ତ ହେଲେ ଦୈନିକ ୪୦୦ ଡଲାର ପ୍ରଦାନ କରାଯିବ। ବିସିସିଆଇର କର୍ମକର୍ତ୍ତାମାନେ ଅବୈତନିକ ହୋଇଥିବାରୁ ସେମାନଙ୍କ ପାଇଁ ଏଭଳି ଭତ୍ତା ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି କାର୍ଯ୍ୟାଳୟରେ ସବୁଠୁ ଅଧିକ ଦରମା ପାଉଥିବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କୁ ବିଦେଶ ଗସ୍ତ କରିବାକୁ ହଲେ ଦୈନିକ ୬୫୦ ଡଲାର ଓ ଭାରତ ଭିତରେ ଭ୍ରମଣ କରୁଥିଲେ ଦୈନିକ ୧୫ ହଜାର ଟଙ୍କା ଭତ୍ତା ମିଳିବ ବୋଲି ଆପେକ୍ସ କାଉନସିଲ ଅନୁମୋଦନ କରିଛି।