ମାରୱାଡ଼ି ମହିଳା ସମିତିର ଅଧିଷ୍ଟାନ ଉତ୍ସବ
ବାଲେଶ୍ୱର : ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ବାଲେଶ୍ୱର ଶାଖା ‘ମାରୱାଡ଼ି ମହିଳା ସମିତି’ର ଅଧିଷ୍ଟାନ ଉତ୍ସବ ଲକି ଇଣ୍ଟରନ୍ୟାସନାଲ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ନିଶା ମୋଦି ସଭାପତିତ୍ୱ କରିବା ସହିତ ସଂଗଠନର କାର୍ଯ୍ୟଧାରା ଓ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ସାମଜସେବା ମୂଳକ କାର୍ଯ୍ୟ କରି ମାରୱାଡ଼ି ମହିଳା ସମିତି ରାଜ୍ୟ ତଥା ଜାତୀୟସ୍ତରରେ ଶ୍ରେଷ୍ଠ ଶାଖା ଭାବେ ପରିଚିତି ଲାଭ କରିପାରିଛି ବୋଲି ସେ କହିଥିଲେ ।
ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷା ଅଞ୍ଜୁ ସରାୱଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ୱର ମହିଳା ସମିତିର ଗଠନ ମୂଳକ କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଥିଲେ । ମହାମାରୀ କରୋନା କାଳ ହେଉ କି ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ, ଏହି ସଂଗଠନ ଜିଲାର ଅବହେଳିତ ବର୍ଗଙ୍କୁ ବେଶ ସହାୟତା କରିଆସିଥିଲା ବୋଲି ସେ କହିଥିଲେ । ବିଶେଷ କରି ନେତ୍ରଦାନ ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଭଳି ମହତ କାର୍ଯ୍ୟ ଏହି ସଂଗଠନକୁ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଥିବା ପ୍ରିୟା ଅଗ୍ରୱାଲଙ୍କ ସମେତ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ଶପଥ ପାଠ କରାଇଥିଲେ । ଏଥି ସହିତ ସର୍ବ ଶ୍ରେଷ୍ଠ ଶାଖା ପୁରୁସ୍କାର ପ୍ରଦାନ, ହୋଲି ଉତ୍ସବ ପାଳନ ଓ ସଂଗଠନର ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମ୍ପାଦିକା ପ୍ରୀତି ଖଣ୍ଡେଲୱାଲ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷା ସୋନାଲ ମୋଦି ବାର୍ଷିକ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଉପ-ସଭାପତି ମନିଷା ମୋଦି ମଞ୍ଚ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦିକା ପୂଜା ଖଣ୍ଡେଲୱାଲ ଓ ମେଘା ଖଣ୍ଡେଲୱାଲ ସକ୍ରିୟ ସହଯୋଗ କରିଥିଲେ ।