କେରଳରେ ୧୨ ଘଣ୍ଟା ମଧ୍ୟରେ ୨ ନେତାଙ୍କୁ ନିର୍ମମ ହତ୍ୟା, ୧୪୪ ଧାରା ଜାରି
ଥିରୁଅନନ୍ତପୁରମ : କେରଳର ଆଲପ୍ପୁଝାରେ ୨ ନେତାଙ୍କୁ ନିର୍ମମ ହତ୍ୟା । ଜଣଙ୍କୁ ଘରେ ପଶି ହତ୍ୟା କରାଯାଇ ଥିବାବେଳେ ଅନ୍ୟ ଜଣଙ୍କୁ ରାସ୍ତାରେ ହାଣିଛନ୍ତି ଦୁର୍ବୃତ୍ତ । ଆତତାୟୀଙ୍କ ଆକ୍ରମଣରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (ଏସଡ଼ିପିଆଇ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ରାଜ୍ୟସ୍ତରୀୟ ନେତାଙ୍କ ମୃତ୍ୟୁ ଘଟିଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ପୋଲିସର କହିବା ଅନୁସାରେ, ଗତ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ରାଜନେତାଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ରବିବାର ସକାଳେ ଓବିସି ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କ ଘରେ ପଶି କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଏହାପୂର୍ବରୁ ଗତ ଶନିବାର ବିଳମ୍ବିତ ରାତିରେ ଏସଡ଼ିପିଆଇ ନେତା କେ ଏସ ଶାନ ବାଇକରେ ଯାଉଥିବା ସମୟରେ ପଛପଟୁ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ଏହାପରେ ସେ ରାସ୍ତାରେ ପଡିଯିବାରୁ କାରରୁ ଆସି କିଛି ଦୁର୍ବୃତ୍ତ ନିର୍ମମ ଭାବେ ତାଙ୍କୁ ହତ୍ୟା କରିଛନ୍ତି ।
ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଶରୀରରେ ୪୦ଟି କ୍ଷତ ସ୍ଥାନ ଥିବା ଜଣାପଡିଛି । ତେବେ ଗତ ୧୨ ଘଣ୍ଟା ମଧ୍ୟରେ ୨ ନେତାଙ୍କ ଏପରି ହତ୍ୟାକୁ ନେଇ ଆଲପ୍ପୁଝାରେ ଅସନ୍ତୋଷ ପ୍ରକାଶ ପାଇଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ପୋଲିସ ମାମଲାରେ ୧୧ ଜଣଙ୍କୁ ଗିରଫ କରିଥିବା କହିଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡ ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଆରଏସଏସକୁ ଦାୟୀ କରିଛି ଏସଡ଼ିପିଆଇ।