ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି; ଡିସ୍ଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ
କଟକ : ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି । ସୁସ୍ଥ ହୋଇ ସୋମବାର କଟକ ଏସ୍ସିବିରୁ ଡିସ୍ଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ। ସେ ଡାକ୍ତରଖାନାରୁ ଘରକୁ ଫେରୁଥିବାରୁ ଖୁବ୍ ଖୁସି ପ୍ରକାଶ କରିବା ସହ ପୁଣି ଗାଁକୁ ଫେରି ତାଙ୍କ ଚାଷ କାମରେ ଲାଗିବେ ବୋଲି ପ୍ରକାଶ କରିଛନ୍ତି।
ସେପଟେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି, ଏବେ କମଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। ଜ୍ୱର, ଝାଡ଼ା, ଇନ୍ଫେକ୍ସସ ପ୍ରଭୃତି ଭଲ ହୋଇସାରିଛି। ଗତ ୬ ଦିନ ଭିତରେ ତାଙ୍କ ରକ୍ତ ଚାପ ଓ ଅନ୍ୟାନ୍ୟ ସମସ୍ୟାର ସୁଧାର ହୋଇଯାଇଛି। କିଡ୍ନୀ ଜନିତ ରହିଥିବା ସମସ୍ୟାର ଚିକିତ୍ସା ପାଇଁ ତାଙ୍କୁ ଔଷଧ ଦିଆଯାଇଛି। ତାଙ୍କ ତରଫରୁ ସେ ଘରକୁ ଯିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ଡାକ୍ତିରୀ ଟିମ୍ ବସି ଆଲୋଚନା କରିବା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଉଛି। ଦିଆଯାଇଥିବା ଔଷଧ ସେ ଘରେ ଖାଇବେ। ଆବଶ୍ୟକ ହେଲେ ପୁଣି ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ।
ସୂଚନା ଯେ, ଝାଡ଼ା ଓ ଜ୍ୱର ଯୋଗୁଁ ଗତ ୨୧ ତାରିଖରେ ଅସୁସ୍ଥ ହୋଇଥିଲେ କମଳା ପୂଜାରୀ । ଏନେଇ ପରିବାର ଲୋକେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାପରେ ଝାଡ଼ା ଓ ଜ୍ୱର କମିଯାଇଥିଲା। ପରେ ଡାକ୍ତର କମଳା ପୂଜାରୀଙ୍କର ରକ୍ତ ଓ ପରିଶ୍ରା ପରୀକ୍ଷା କରିଥିଲେ। ରିପୋର୍ଟରେ ୟୁରିଆ ଓ କ୍ରେଟିନ୍ ଅଧିକ ଆସିଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। କୃଷି କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।