ଅସମ୍ଭାଳ ଭିଡ଼; ଶ୍ରୀମନ୍ଦିର ବାଇଶି ପାହାଚରେ ୬ ସ୍କୁଲ ଛାତ୍ରୀ ଅଚେତ
ପୁରୀ : ଶ୍ରୀମନ୍ଦିର ବାଇଶି ପାହାଚରେ ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁଁ ୬ ଜଣ ସ୍କୁଲ ଛାତ୍ରୀ ଅଚେତ ହୋଇପଡିଛନ୍ତି । ଅସମ୍ଭାଳ ଭିଡ଼ ମଧ୍ୟରେ ଛାତ୍ରୀମାନେ ଅଣନିଃଶ୍ବାସୀ ହୋଇ ଅଚେତ ହୋଇପଡିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଚେତ ଛାତ୍ରୀମାନେ ମୟୂରଭଞ୍ଜ ଜିଲା ହୃଦାନନ୍ଦ ସ୍କୁଲରେ ପଢନ୍ତି । ଗତ ଦୁଇ ତିନି ଦିନ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି।
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥିଲେ। ଶ୍ରଦ୍ଧାଳୁମାନେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ବେଳେ ବାଇଶପାହଚରେ ଅସମ୍ଭାଳ ଭିଡ଼ ଆରମ୍ଭ ହୋଇଯାଇଥିଲା। ଅତ୍ୟଧିକ ଭିଡ ଭିତରେ ବାହାରକାଠରେ ଦର୍ଶନ ସମୟରେ ମୟୂରଭଂଜ ଜିଲ୍ଲାରୁ ଆସିଥିବା ୬ ଛାତ୍ରୀ ଫସିଯାଇଥିଲେ। କୁହାଯାଉଛି ଯେ, ଛାତ୍ରୀମାନେ ଅଣନିଃଶ୍ବାସୀ ହୋଇଯାଇଥିଲେ। ଏହାପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ପୁଲିସ ପକ୍ଷରୁ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଶେଷ ରିପୋର୍ଟ ଲେଖାଯିବା ବେଳକୁ ପିଲମାନଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି। ସମସ୍ତଙ୍କର ସ୍ଥିତି ଭଲ ରହିଛି।
ସୂଚନା ଯେ, ରାସଗୋବିନ୍ଦପୁର ହୃଦାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟରୁ କିଛି ଛାତ୍ରଛାତ୍ରୀ ସେମାନଙ୍କର ଶିକ୍ଷକମାନଙ୍କ ସହିତ ଗତ ୨୪ ତାରିଖରେ ପୁରୀ ବୁଲିବାକୁ ଆସିଥିଲେ। ଆଜି ରାତି ପ୍ରାୟ ୯ଟା ବେଳକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।