କରୋନାରେ ମୃତ୍ୟୁ ହେଲେ ମୃତ୍ୟୁ ପ୍ରମାଣପତ୍ର ‘କରୋନାରେ ମୃତ୍ୟୁ’ ଲେଖିବା ଜରୁରୀ
ନୂଆଦିଲ୍ଲୀ : ଏଣିକି କୋଭିଡରେ ମୃତ୍ୟୁ ହେଲେ ମୃତ୍ୟୁ ପ୍ରମାଣପତ୍ର(ଡେଥ୍ ସାର୍ଟିଫିକେଟ୍)ରେ ‘କରୋନାରେ ମୃତ୍ୟୁ’ ଲେଖିବା ଜରୁରୀ । ଏନେଇ ନିର୍ଦ୍ଦେଶନାମା ଜାରିକଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ପୂର୍ବରୁ ଏନେଇ ବହୁ ସମସ୍ୟା ଦେଖା ଦେଉଥିଲା । ଫଳରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ରାଜ୍ୟ ସରକାରଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।
ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ମୃତ୍ୟୁ ପ୍ରମାଣପତ୍ର (ଡେଥ୍ ସାର୍ଟିଫିକେଟ୍)ରେ ‘କରୋନାରେ ମୃତ୍ୟୁ’ ଲେଖିବା ଜରୁରୀ । ଏହା ସହିତ ଯେଉଁ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇସାରିଛି ସେମାନଙ୍କ ପରିବାରେ ଲୋକେ ମଧ୍ୟ ନୂଆ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ । ଏ ନେଇ ଦେଶର ସମସ୍ତ ଜିଲ୍ଲାରେ ଏକ କମିଟି ଗଠନ କରାଯିବ । ଏହି କମିଟି ଆବେଦନ କରିବାର ୩୦ ଦିନ ମଧ୍ୟରେ ନୂଆ କୋଭିଡ୍ ମୃତ୍ୟୁ ସାର୍ଟିଫିକେଟ କିମ୍ବା ସଂଶୋଧନ କୋଭିଡ୍ ସାର୍ଟିଫିକେଟ୍ ପ୍ରଦାନ କରିବା ନେଇ ନିଷ୍ପତ୍ତି ନେବେ । କରୋନା ମୃତ୍ୟୁ ଘଟିଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ସାର୍ଟିଫିକେଟ୍ ପ୍ରଦାନ କରିବାକୁ ବ୍ୟବସ୍ଥା କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ରିପକ୍ କଂସଲ ଏବଂ ଗୌରବ ବଂଶଲ ନାମକ ୨ ଜଣ ବ୍ୟକ୍ତି । ତେବେ ଏହାର ଶୁଣାଣି କରି ଜୁନ ୩୦ରେ ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ରାୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ବୋଲି ଲେଖିବାକୁ ବ୍ୟବସ୍ଥା କରିବାକୁ କହିଥିଲେ ।
ତେବେ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ । ଏବେ କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମୃତ୍ୟୁ ପ୍ରମାଣପତ୍ର ପାଇଁ ଦିଶାନିର୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହିୁ ନିର୍ଦେଶାବଳୀ ଅନୁଯାୟୀ, ଯଦି କରୋନାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି ତେବେ ମୃତ୍ୟୁ ପ୍ରମାଣପତ୍ରରେ କରୋନା ଯୋଗୁଁ ମୃତ ବୋଲି ଲେଖାଯିବ । ଘରେ କିମ୍ବା ହସ୍ପିଟାଲରେ ଯେକୌଣସି ସ୍ଥାନରେ ମୃତ୍ୟୁ ହୋଇଥିଲେ ମଧ୍ୟ ଡେଥ୍ ସାର୍ଟିଫିକଟେ୍ ଜାରି ହେବ । ତେବେ ଯଦି ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ବିଷ ପିଇ, ଆତ୍ମହତ୍ୟା, ହତ୍ୟା କିମ୍ବା ଦୁର୍ଘଟଣାଜନୀତ ମୃତ୍ୟୁ ହୁଏ ତେବେ ସେ କ୍ଷେତ୍ରରେ ମୃତ୍ୟୁ ପ୍ରମାଣବତ୍ର କରୋନା ଲେଖାଯିବ ନାହିଁ ।