ବଦଳିପାରେ ଖରାଛୁଟି, ବିଭିନ୍ନ ମହଲରୁ ଆସିଛି ପ୍ରସ୍ତାବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଜୁନ ବଦଳରେ ମେ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି ବୋଲି ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଖରାଛୁଟି ସମୟ ପରିବର୍ତନ କରିବାକୁ ବିଚାର କରାଯାଇନି । ଯଦି ସେମିତି ପରିସ୍ଥିତି ଆସେ, ତାହାଲେ ବିଭାଗ ସେନେଇ ବିଚାର କରିବ ବୋଲି ସେ ପ୍ରକାଶ କରିଛନ୍ତି ।
ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ବର୍ତମାନ ରାଜ୍ୟରେ କରୋନା ପ୍ରଭାବ ସେଭଳି ନାହିଁ । ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି । ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପୁସ୍ତିକା ମିଳିବ । ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ । ମେ ମାସରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷାବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ । ଦୁଇ ବର୍ଷର ପିଲାଙ୍କ ପାଠପଢା କ୍ଷତିଭରଣା କରିବା ପାଇଁ ବିଭାଗ ଏଭଳି ବ୍ୟବସ୍ଥା କରିଛି । କେବଳ ଯେ ଖରାଛୁଟି ସମୟରେ ହେବାକୁ ଥିବା କ୍ଲାସରେ ଏହା କେବଳ ପଢ଼ାଯିବ, ତାହା ନୁହେଁ ବରଂ ପୁରା ସେସନରେ ଏହି ପାଠ ପଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ ଚଳିତ ବର୍ଷ ସ୍କୁଲ ମାନଙ୍କରେ ଖରା ଛୁଟି ଜୁନ ମାସରେ କରିବାକୁ ନିଷ୍ପତି ସମ୍ପର୍କରେ ଘୋଷଣା ପରେ ଏହାକୁ ବିରୋଧ କରାଯିବା ସହ ଛୁଟିକୁ ମେ ମାସରେ କରିବାକୁ ଦାବି ହୋଇଥିଲା ।