ହୋର୍ଡିଂ ଭୁଶୁଡିବା ଘଟଣା : ୧୪ ମୃତ, ୪୦ ଗୁରୁତର
ମୁମ୍ବାଇ : ମୁମ୍ବାଇର ଘାଟକୋପର ଅଞ୍ଚଳରେ ଏକ ବିରାଟ ବଡ଼ ହୋର୍ଡିଂ ଭୁଶୁଡ଼ିବା ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅତି କମରେ ୪୦ ଜଣ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜଣକର ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ଏହି ଦୁର୍ଘଟଣା ପରେ ମୁମ୍ବାଇର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପନ୍ତନଗର ପୋଲିସ ଷ୍ଟେସନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହୋର୍ଡିଂ କମ୍ପାନୀ ଇଗୋ ମିଡିଆର ମାଲିକ ଭାବେଶ ଭିଣ୍ଡେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସୂଚନା ଯେ, ଗତ ସୋମବାର ଅପରାହ୍ନରେ ପ୍ରବଳ ଧୂଳି ଝଡ଼ ଓ ବର୍ଷା ଯୋଗୁଁ ଘାଟକୋପର ଅଞ୍ଚଳରେ ଏକ ବିଲବୋର୍ଡ ଭୁଶୁଡି ପଡିଥିଲା। ଏଥିରେ ମୋଟ୍ ୮୮ ଜଣ ପ୍ରଭାବିତ ହୋଇଥିବାବେଳେ ୭୪ ଜଣ ଆହତ ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ବିଲ୍ବୋର୍ଡ ଖସିବା ଫଳରେ ସେଠାରେ ପାର୍କିଂ କରାଯାଇଥିବା ଏକାଧିକ କାର୍ କ୍ଷତିଗ୍ରସ୍ତ ହୋଇଛି। ରେଳଧାରଣା ଉପରେ ବର୍ଷା ଜଳ ପ୍ରବାହିତ ହେବାଫଳରେ କେତେକ ରୁଟ୍ରେ ଲୋକାଲ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ପ୍ରଭାବିତ ଅଞ୍ଚଳକୁ ଏନ୍ଡିଆରଏଫ୍ ଟିମ୍ ପଠାଯାଇଛି। ଆହତଙ୍କୁ ବ୍ରିହନ ମୁମ୍ବଇ ମ୍ୟୁନିସିପାଲ କର୍ପୋରେସନ ଦ୍ବାରା ପରିଚାଳିତ ରାଜାୱାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଥାଣେ-ବେଲାପୁର ରାଜପଥର ୱାଡାଲା ନିକଟରେ ହୋର୍ଡିଂ ଖସିପଡିବାରୁ କେତେକ ଲୋକ ଆହତ ହୋଇଛନ୍ତି। ଯୋଗେଶ୍ବରୀରେ ଗୋଟିଏ ଗଛ ଉପୁଡି ଅଟୋ ଉପରେ ପଡିବାରୁ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ବର୍ଷା ଓ ଧୂଳି ଝଡ଼ ଯୋଗୁଁ ଆରେ-ଅନ୍ଧେରୀ ଇଷ୍ଟ ରୁଟ୍ରେ ମେଟ୍ରୋ ସେବାକୁ ଦୁଇ ଘଣ୍ଟା ବନ୍ଦ ରଖାଯାଇଥିଲା। ଗୋରେଗାଓଁ ଅଞ୍ଚଳରେ ଝଡ଼ ତୋଫାନ ଯୋଗୁଁ ଗୋଟିଏ ବଡ ହୋର୍ଡିଂ ବିଦ୍ୟୁତ୍ ତାର ଉପରେ ପଡିବାରୁ ସେହି ଅଞ୍ଚଳରେ ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି। ଜୋରରେ ପବନ ବହିବାରୁ ଥାଣେ-ମୁଲୁନ୍ଦ ରୁଟ୍ରେ ରେଳବାଇ ସିଗ୍ନାଲ ଖୁଣ୍ଟ ବଙ୍କା ହୋଇଯାଇଛି। ପାଣିପାଗ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଘରେ ରହିବାକୁ ମୁମ୍ବଇବାସୀଙ୍କୁ ପରାମର୍ଶ ଦିଆଯାଇଛି।